ତାତିରୁ ନାହିଁ ନିସ୍ତାର; ଆହୁରି ସପ୍ତାହେ କଲବଲ କରିବ ତାତି
ଭୁବନେଶ୍ୱର : ତାତିରୁ ନାହିଁ ନିସ୍ତାର । ଆଜିଠୁ ଆହୁରି ଉଗ୍ର ରୂପ ନେବ ତାତି । ଆହୁରି ପ୍ରାୟ ସପ୍ତାହେ ଏମିତି ଛଟପଟ କରିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବର୍ତ୍ତମାନ ତାତିରୁ ଟିକିଏ ବି ନିସ୍ତାର ଆଶା ଦେଖାଯାଉନି । କାଳବୈଶାଖୀ ହେଲେ ବି କାଁ ଭାଁ ହେବ ଓ ସ୍ୱଳ୍ପ ବର୍ଷା କରାଇବ । କିନ୍ତୁ ଏହା ପରିବେଶକୁ ଥଣ୍ଡା କରିବାରେ ବିଶେଷ ସହାୟକ ହେବ ନାହିଁ। ତାତି ମାସ ଶେଷ ଯାଏ ଜାରି ରହିବ।
ଉପକୂଳ ଓଡ଼ିଶାର ପାରଦ ଏବେ ଉପରମୁହାଁ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ତାପମାତ୍ରା କମିବାର ବି ସମ୍ଭାବନା ନାହିଁ। ଆଭ୍ୟନ୍ତର ଓଡ଼ିଶା ଆହୁରି ଜଳିବ। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳ ବି କଲବଲ ହେବ। ସେହିପରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଣୁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ଖରାକୁ ବାହାରିଲେ ଓଦା ଗାମୁଛା, ପାଣି ବୋତଲ ଓ ଛତା ନେବାକୁ ନ ଭୁଲିବାକୁ କେନ୍ଦ୍ର ପକ୍ଷରୁ ସଚେତନ କରାଯାଇଛି। ଅନ୍ୟପଟେ ଆସନ୍ତା ୨ ଦିନରେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି କେନ୍ଦ୍ର ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଯାହା, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଉପକୂଳରେ ସ୍ଥିତି ଯେମିତି ଅଛି, ପ୍ରାୟତଃ ସେମିତି ରହିବ । କାଁ ଭାଁ ସାମାନ୍ୟ କମିପାରେ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିବ । ୨୬-୨୭ ତାରିଖବେଳକୁ କେତେକ ଜାଗାରେ ତାପମାତ୍ରା ୪୫-୪୬ ଡିଗ୍ରୀ ଛୁଇଁପାରେ । ଉପକୂଳରେ ତାତି କମିଲେ ଗୁଳୁଗୁଳି ବଢ଼ିପାରେ । ସୋମବାର ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଓ ନୟାଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇପାରେ । ତେଣୁ ସକାଳ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି । ସେହିପରି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିବ। ଏପ୍ରିଲ ଶେଷ ପର୍ଯ୍ୟନ୍ତ ଉପକୂଳରେ ଓ ମେ’ ୨ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏମିତି ନିଆଁ ବର୍ଷା ତାତି ଜାରି ରହିବ । ବିସ୍ତୃତ ଅଞ୍ଚଳରେ ତାତି ଖସାଇଲା ଭଳି ବର୍ଷାର ସମ୍ଭାବନା କମ୍ । ସୀମିତ ଅଞ୍ଚଳରେ କାଳବୈଶାଖୀ ହୋଇପାରେ । ହେଲେ ବିଶେଷ ବର୍ଷା ହେବନି । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ପାରଦ ୪୨-୪୩ ଡିଗ୍ରୀ ପାଖାପାଖି ରହିପାରେ ।
ଆଭ୍ୟନ୍ତରୀଣ ଓଡ଼ିଶାରେ ସୋମବାର ତାପମାତ୍ରା ୪୩-୪୪ ଡିଗ୍ରୀ ରହିପାରେ । ୨୮/୨୯ ତାରିଖବେଳକୁ ଭୟାନକ ଗ୍ରୀଷ୍ମ ପ୍ରବାହ କଲବଲ କରିପାରେ । ସେତେବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୬ ଡିଗ୍ରୀ ଛୁଇଁପାରେ । ଆସନ୍ତା ମେ’ ୩/୪ ତାରିଖବେଳକୁ ବର୍ଷା ସମ୍ଭାବନା ଦେଖାଯାଉଛି । ଏହି ବର୍ଷା ହେଲେ ହିଁ ଗରମ କିଛି ମାତ୍ରାରେ କମିବ । ସେପର୍ଯ୍ୟନ୍ତ ବିଶେଷ ନିସ୍ତାର ମିଳିବନି । ରାତି ତାପମାତ୍ରା ବି ଏବେ ୨୬/୨୭ ଡିଗ୍ରୀ ପାଖାପାଖି ରହୁଛି । ୨୮ରୁ ରାତି ତାପମାତ୍ରା ୨୮ ଡିଗ୍ରୀକୁ ବୃଦ୍ଧି ପାଇପାରେ । ଏମିତି ହେଲେ ରାତିରେ ବି ଘରେ ରହିବା ଅସହ୍ୟ ହୋଇପଡ଼ିବ ।
