୧୦ ଜିଲାରେ ୨୦୦ମିଲି ମିଟର ବର୍ଷା, ବନ୍ୟାର ସମ୍ଭାବନା ନାହିଁ : ଏସଆରସି
- ବିପଦ ସଙ୍କେତ ଉପରେ ଜଳକା, ଆଲର୍ଟରେ ବୈତରଣୀ ନଦୀ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲଫ କମିଶନର (ଏସଆରସି) ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସେ କହିଛନ୍ତି ଯେ, ରାଜ୍ୟର ୧୦ଟି ଜିଲାରେ ୨ଶହ ମିଲିମିଟର ବର୍ଷା ହୋଇଛି । ନବରଙ୍ଗପୁର ଜିଲା ବ୍ୟତୀତ ଅନ୍ୟ ସବୁ ଜିଲାରେ ସ୍ବାଭାବିକଠୁ ଅଧିକ ବର୍ଷା ହୋଇଛି । ସେହିପରି ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବୀରମହାରାଜପୁରରେ ୫ଶହ ମିଲିମିଟର ଉପରେ ବର୍ଷା ହୋଇଛି । ୬ଟି ବ୍ଲକରେ ୪ଶହ ମିଲିମିଟର ଉପରେ ବର୍ଷା ହୋଇଛି । ୫୬ଟି ବ୍ଲକରେ ୨ ଶହରୁ ୩ଶହ ମିଲିମିଟର ବର୍ଷା ହୋଇଛି । କମ୍ ସମୟରେ ଏତେ ବର୍ଷା ହେଲେ ନଦୀରେ ବନ୍ୟା ନ ଆସିଲେ ବି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ହେବ । ଜଳବନ୍ଦୀ ହୋଇଛି । ଭୁବନେଶ୍ୱରର, କଟକ, ବଲାଙ୍ଗୀର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଛି ।
ଆହୁରି ମଧ୍ୟ ୨୮ଟି ଜିଲାର ଜିଲାପାଳଙ୍କ ସହ ଏସଆରସି ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି । ଅଳ୍ପ କିଛି ସ୍ଥାନରେ ଘର ଭାଙ୍ଗିଛି । ସୋମବାର ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଆଉ ଜଣଙ୍କର ଜୀବନ ଯାଇଛି । ଯେଉଁଠି ପାଣି ଜମିଛି ସେଠି ଚାଷ କ’ଣ କ୍ଷୟକ୍ଷତି ହୋଇଛି ତାହା ଉପରେ ନଜର ରଖି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍ଥାନରେ ଘାଇ ହୋଇଥିଲା ତାକୁ ମରାମତି କରଯାଉଛି । ଯାହା ବର୍ଷା ହେବ ମଙ୍ଗଳବାର ରାତି ସୁଦ୍ଧା ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଜଳକା ନଦୀ ବିପଦ ସଙ୍କେତ ଉପରେ ରହିଛି । ବୈତରଣୀକୁ ଆଲର୍ଟରେ ରଖାଯାଇଛି । ବ୍ରାହ୍ମଣୀ ଉପରେ ବି ନଜର ରଖିଛୁ ବୋଲି ଏସଆରସି କହିଛନ୍ତି । ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା କରାଯାଉଛି । ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ । ତାକୁ ଦୃଷ୍ଟିରେ ହୀରାକୁଦର ୬ ରୁ ୭ଟି ଗେଟ୍ ଖୋଲିପାରେ ବୋଲି ଏସଆରସି କହିଛନ୍ତି । କଟକ ମଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ୍ ଜଳ ପାସ୍ କରାଇ ଦେଲେ ବନ୍ୟା ସ୍ଥିତି ଉପୁଜିବନାହିଁ । ଯଦି ଅଧିକ ପାଣି ଆସେ ତେବେ ଅଧିକ ଗେଟ୍ ଖୋଲିବୁ । ତେବେ ମହାନଦୀରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ । ସମସ୍ତ ବିଭାଗକୁ ଦୁଇ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି କହିଛନ୍ତି ।
