୧୩ରେ ଆଉ ଏକ ଲଘୁଚାପ ସମ୍ଭାବନା : ଅବପାତ ପ୍ରଭାବରେ ୧୬ ଯାଏଁ ବର୍ଷା
ଭୁବନେଶ୍ୱର : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିଛି । ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ନଥିଲେ ହେଁ ରାଜ୍ୟରେ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାଗ କୋହଲା ରହିବା ସହିତ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଛି । ଅପରପକ୍ଷରେ ଆସନ୍ତା ୧୩ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଏହାର ପରବର୍ତୀ ୪୮ ଘଂଟା ମଧ୍ୟରେ ପଶ୍ଚିମ ଉତର ଆଡକୁ ଗତି କରି ଅବପାତର ରୂପ ନେଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଅବପାତ ପ୍ରଭାବରେ ଶୁକ୍ରବାରଠାରୁ ୧୫ ତାରିଖ ଭିତରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଓଡ଼ିଶାରେ କେତେକ ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ସର୍ବାଧିକ ବର୍ଷା ଗୋପାଳପୁଠାରେ ୮.୨ ମିଲିମିଟର ହୋଇଛି । ଏହି ଅବପାତ ପ୍ରଭାବରେ ରାତିର ତାପମାତ୍ରାରେ ବୃଦ୍ଧି ଘଟିଛି । ଓଡ଼ିଶାର ସବୁ ଜିଲ୍ଲାରେ ରାତ୍ରକାଳୀନ ତାପମାତ୍ରା ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩.୯ ଡିଗ୍ରୀ ବୃଦ୍ଧି ଘଟିଛି । ସେହିପରି ପାରାଦୀପରେ ୩.୧ ଡିଗ୍ରୀ, ସୋନପୁରରେ ୨.୫ ଡିଗ୍ରୀ, ବାରିପଦାରେ ୨.୫ ଡିଗ୍ରୀ, ଅନୁଗୋଳରେ ୨.୪ ଡିଗ୍ରୀ, କେନ୍ଦୁଝରରେ ୨.୪ ଡିଗ୍ରୀ, ଭୁବନେଶ୍ୱରରେ ୨.୫ ଡିଗ୍ରୀ, କଟକରେ ୧.୬ ଡିଗ୍ରୀ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି ।
