ରାଜ୍ୟରେ ଖାଲିପଡିଛି ଷ୍ଟାଫ୍ନର୍ସ ଓ ଏଏନ୍ଏମ୍ ପଦବି
ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଖାଲିପଡିଛି ଷ୍ଟାଫ୍ନର୍ସ ଓ ଏଏନ୍ଏମ୍ ପଦବି । ରାଜ୍ୟରେ ୨୫୯୪ ଷ୍ଟାଫ୍ନର୍ସ ପଦବି ଓ ୧୦୯୯ ଏଏନ୍ଏମ୍ ପଦ ମଧ୍ୟ ଖାଲି ରହିଛି। ସେହିପରି କୋଭିଡ୍ ମୁକାବିଲା ପାଇଁ ନିଯୁକ୍ତ ହୋଇଥିବା ଏଏନ୍ଏମ୍/ଷ୍ଟାଫନର୍ସଙ୍କୁ ଦକ୍ଷତା ତଥା ଯୋଗ୍ୟତାର ମାପକାଠି ଭାବେ ବିଚାରକୁ ନେବାର କୌଣସି ବ୍ୟବସ୍ଥା ନାହିଁ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।
ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ଖାଲି ପଡ଼ିଥିବା ଏଏନ୍ଏମ୍/ଷ୍ଟାଫନର୍ସର ବିଭିନ୍ନ ପଦବିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଲିଥିବା ବିଭିନ୍ନ ଯୋଜନାରେ ଅସ୍ଥାୟୀ ଭାବେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ନିୟମିତ କରାଯାଉଛି। ଏବେ ଏହି ପ୍ରକ୍ରିୟା ଚାଲୁ ରହିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଖାଲି ପଡ଼ିଥିବା ପଦବିଗୁଡ଼ିକୁ ନୂତନ କ୍ୟାଡର୍ ରୁଲ ଅନୁଯାୟୀ ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗଙ୍କ ଦ୍ବାରା ଲିଖିତ ପରୀକ୍ଷା ମାଧ୍ୟମରେ ପୂରଣ କରାଯିବ। ଏହାସହ ଅର୍ଥ ବିଭାଗ ଦ୍ବାରା ନୂତନ ଭାବେ ଅନୁମୋଦିତ ୬୪୩୨ଟି ଷ୍ଟାଫନର୍ସ ପଦ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗଙ୍କ ଦ୍ୱାରା ନିକଟରେ ଲିଖିତ ପରୀକ୍ଷା ଶେଷ ହୋଇଥିବା ସେ କହିଛନ୍ତି।
