ସୋରରେ ଏକ ଷ୍ଟେସନାରୀ ଦୋକାନରୁ ଚୋରି
ସୋର : ଗତକାଲି ବିଳମ୍ବିତ ରାତ୍ରିରେ ସୋର ଥାନା ଅଧୀନ ଜାତୀୟ ରାଜପଥ ନାୟକବନ୍ଧ ଛକ ନିକଟରୁ ଏକ ଷ୍ଟେସନାରୀ ଦୋକାନରୁ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ପିତଳପଦା ଗ୍ରାମର ପର୍ଶୁରାମ ମଳିକ ଏହି ଛକ ନିକଟରେ ଏକ କେବିନରେ ଚା’ପାନ ସହ ଷ୍ଟେସନାରୀ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ରାତି ୯ଟା ସମୟରେ ପର୍ଶୁରାମ ଦୋକାନ ବନ୍ଦ୍ କରି ଘରକୁ ଯାଇଥିଲେ । ଚୋରମାନେ ତାଙ୍କ କେବିନ ପଛ ପାଖ ଟିଣକୁ କାଟି ଭିତରେ ପଶି କେଶ ବାକ୍ସରେ ଥିବା ନଗଦ ୫ ହଜାର ଟଙ୍କା ସହିତ ସୋଲାର ବ୍ୟାଟେରୀ, ସୋଲାର ମେସିନ ସମେତ ଦୋକାନରେ ଥିବା ପ୍ରାୟ ସତୁରି ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଆଜି ସକାଳ ୫ଟା ସମୟରେ ପର୍ଶୁରାମ ଦୋକାନ ଖୋଲିବା ପରେ ଏହା ଜାଣିପାରି ସେ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
