ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ଯୋରନ୍ଦା : ଆଜିଠାରୁ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହୋଇଛି । ମାଘ ଶୁକ୍ଳ ଚତୁର୍ଦ୍ଦଶୀ ମହିମା ଗୋସାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ମେଳା । ଶହ ଶହ ମହିମା ସାଧୁଙ୍କ ସମାଗମ ସୋଇଛି । ଉଭୟ ବକ୍କଳ ଓ କଉପୁନିଧାରୀ ମହିମା ସନ୍ଥମାନେ ମେଳାକୁ ଆସିଛନ୍ତି । ଆଜି ଅପରାହ୍ନରେ ଗାଦି ମନ୍ଦିର , ଧୁନି ମନ୍ଦିର ଓ ବତୀ ମନ୍ଦିରରେ ଝାଡବତୀ ଜଳାଯିଵ । କୋଭିଡ କଟକଣା ଯୋଗୁଁ ଏଥର କେବଳ ସାଧୁସନ୍ଥ ଓ ମହିମା ଧର୍ମର ଲୋକଙ୍କୁ ମନ୍ଦିର ଭିତରକୁ ଛଡାଯିବ ।
ଏଥିରେ ଦେଶର କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଛି । ଉଭୟ ବକ୍କଳଧାରୀ ଏବଂ କୌପୁନିଧାରୀଙ୍କ ଗାଦି ମନ୍ଦିର, ଧୁନି ମନ୍ଦିର, ବତୀ ମନ୍ଦିରରେ ଅପରାହ୍ନ ୫ଟାରୁ ଝାଡବତୀ ପ୍ରଜଳନ କରାଯିବ । କୋଭିଡ କଟକଣା ଲାଗୁ ହୋଇଥିବାରୁ କେବଳ ମହିମା ସାଧୁ ସନ୍ଥ ଓ ମହିମା ଧର୍ମାବଲମ୍ବିଙ୍କୁ ମନ୍ଦିର ପ୍ରବେଶ ଅନୁମତି ରହିଛି । ସେମାନେ କରୋନା ଟିକାର ୨ଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ଏହାଛଡା ମହିମା ଗାଦି ପରିସରରେ ଭକ୍ତ ଓ ସାଧୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସେଂଟରର ବ୍ୟବସ୍ଥା ମଧ୍ୟ ହୋଇଛି । ମେଳାରେ କୌଣସି ବାହାର ଅଂଚଳର ଉଠାଦୋକାନୀ ତଥା ବ୍ୟବସାୟୀ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି । ସେହିପରି ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ତେବେ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ଏହି ପର୍ବ ପାଳନ କରାଯାଏ । ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି । ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ । ତ୍ରୟୋଦଶୀ ପାହାନ୍ତାରେ ମହିମା ମେଳା ଆରମ୍ଭ ହୁଏ ଏବଂ ଏହାକୁ ପାହାନ୍ତା ପୂର୍ଣ୍ଣମୀ ମଧ୍ୟ କୁହାଯାଏ । ଏହି ଉତ୍ସବରେ ବେଢା ପରିକ୍ରମା କାର୍ଯ୍ୟ ହୋଇଥାଏ । ବଳ୍କଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବଳ୍କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ । ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ନଥାଏ ।
