ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ
ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋପାଳପୁର ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ । ଶୁକ୍ରବାର ଗୁରୁତର ଅବସ୍ଥାରେ ଏମକେସିଜି ଆସିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ମୃତ୍ୟୁ ହୋଇଛି । ମୃତକ ହେଲେ ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ୟୋତି ନଗରର ଟିକିନା ଦାସ(୩୦)। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପାରିବାରିକ କଳହକୁ ନେଇ ଗୋପାଳପୁର ଥାନା ଆସିଥିଲେ ମହିଳା । ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାଷ୍ଠାନ ହୋଇନଥିବାରୁ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଗୋପାଳପୁର ଥାନା ଆଗରେ ଟିକିନା ଦାସ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉପସ୍ଥିତ ପୋଲିସ କର୍ମଚାରୀ ଏହା ଦେଖି ତୁରନ୍ତ ତାଙ୍କ ଠାରୁ କୀଟନାଶକ ଔଷଧ ଛଡ଼ାଇବା ସହ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ମେଡ଼ିକାଲରେ ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର, ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ, ଏସ୍ଆଇ ସଫିଆ ମିଶ୍ର, ଏଏସ୍ଆଇ ତିରୁପତି ରାଓ, ଏଏସ୍ଆଇ ପୁଷ୍ପା ମଲିକ, ଏସ୍ଆଇ ଜୟଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ। ସୂଚନା ଯେ, ଟିକିନା ଦାସ ଧାରଉଧାର ହୋଇ ବହୁଦିନ ଧରି ବାହାରକୁ ଚାଲି ଯାଇଥିଲେ। ଗତ ୮ଦିନ ତଳେ ଗ୍ରାମକୁ ଫେରି ସ୍ବାମୀଙ୍କ ସହ ନରହି ନିଜ ଘରେ ରହୁଥିଲେ। ସ୍ବାମୀ ଏକ ଭଡ଼ା ଘରେ ରହୁଥିବା ଜଣାପଡ଼ିଛି।
