ହ୍ରାସ ପାଇବ ଶୀତର ପ୍ରକୋପ, ୨୧ରୁ ବର୍ଷା
୬ ଜିଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪୮ ଘଂଟା ମଧ୍ୟରେ ରାଜ୍ୟର ଜିଲାଗୁଡ଼ିକରେ ଦିନର ତାପମାତ୍ରାରେ ବୃଦ୍ଧି ଘଟିବା ସହ ଶୀତର ପ୍ରକୋପ ହ୍ରାସ ପାଇବ । ଏହି ସମୟ ମଧ୍ୟରେ ରାତି ଓ ପାହାନ୍ତା ସମୟରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ଘନ କୁହୁଡି ଜନିତ ସତର୍କ ସୂଚନା ଜାରି କରିଛି । ସେହିପରି ୨୧ ତାରିଖରୁ ଉତ୍ତର-ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାର କିଛି ଜିଲାରେ ହାଲୁକା ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ।
ସେହିପରି ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ, ଢ଼େଙ୍କାନାଳ ଓ କଳାହାଣ୍ଡି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହଥିବାରୁ ଏହି ସମସ୍ତ ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ବା ହଳଦିଆ ଚେତାବନୀ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ଅପରପକ୍ଷେ ୧୯ରୁ ୨୦ ତାରିଖ ସକାଳ ମଧ୍ୟରେ ୬ଟି ଜିଲା ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲାଗୁଡ଼ିକ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ହାପରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ।
