ଧଳାବାଘ ଅର୍ଜୁନକୁ ଗୋଟିଏ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କଲା କଂଗ୍ରେସ
କର୍ଣ୍ଣାଟକ : କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ୫୧ତମ ଜନ୍ମଦିନ ଅବସରରେ କର୍ଣ୍ଣାଟକ ରାଜ୍ୟ ଅନ୍ତର୍ଗତ ବିଜୟନଗର ଜିଲ୍ଲାରେ କଂଗ୍ରେସ ପାର୍ଟିର ଦଳେ କର୍ମୀ ହାମ୍ପି ସ୍ଥିତ ‘ଅଟଳବିହାରୀ ବାଜପେୟୀ ଜୁଲୋଜିକାଲ୍ ପାର୍କ’ରେ ଥିବା ଅର୍ଜୁନ ନାମଧ୍ୟେୟ ଧଳାବାଘକୁ ଗୋଟିଏ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଉକ୍ତ ବାଘଟିକୁ ରାହୁଲ୍ଙ୍କ ନାଁରେ ପୋଷ୍ୟଭାବେ ଗ୍ରହଣ କରାଯାଇଛି। ବେଲ୍ଲାରୀ ଏବଂ ବିଜୟନଗର ଗ୍ରାମୀଣ ଯୁବ କଂଗ୍ରେସ ଶାଖାର ସଭାପତି ସିଦ୍ଦୁ ହାଲେଗୌଡ଼ା ଏବଂ ତାଙ୍କ ବନ୍ଧୁଗଣ ବାଘଟିକୁ ପୋଷ୍ୟରୂପେ ଗ୍ରହଣ କରିବା ଲାଗି କର୍ଣ୍ଣାଟକର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଜୁନ୍ ୧୯ ତାରିଖ ଦିନ ୧ଲକ୍ଷ ଟଙ୍କା ଦାଖଲ କରିଛନ୍ତି।
ଗଣମାଧ୍ୟମକୁ ହାଲେଗୌଡ଼ା କହିଛନ୍ତି, ରାହୁଲ୍ ଗାନ୍ଧୀଙ୍କ ଜନ୍ମଦିନରେ ଆମେ କିଛି ସାମାଜିକ କାର୍ଯ୍ୟକଳାପ କରିବାକୁ ଯୋଜନା କରିଥିଲୁ। ସମ୍ପ୍ରତି ଚିଡ଼ିଆଖାନାମାନଙ୍କରେ ଖାଦ୍ୟ ସଙ୍କଟ ଉପୁଜିଥିବାରୁ ଆମ୍ଭେମାନେ ଆମ୍ଭ ନେତାଙ୍କ ନାମରେ ବ୍ୟାଘ୍ରଟିଏ ପୋଷ୍ୟରୂପେ ଗ୍ରହଣ କରିବାକୁ ସ୍ଥିର କଲୁ। ହାମ୍ପି ଚିଡ଼ିଆଖାନା କର୍ତ୍ତୃପକ୍ଷମାନେ ମଧ୍ୟ ସୂଚନା ଦେଇଛନ୍ତି ଯେ, ପୋଷ୍ୟ ଗ୍ରହଣ ପ୍ରକ୍ରିୟା ସାଧାରଣତଃ ଅନ୍ଲାଇନ୍ରେ କରାଯାଉଥିବାରୁ ଅବିଳମ୍ବେ ଏ ସଂକ୍ରାନ୍ତରେ ସାର୍ଟିଫିକେଟ୍ ସେୟାର୍ କରିଦିଆଯିବ। ଚିଡ଼ିଆଖାନାର ଜଣେ କର୍ମଚାରୀ ମଧ୍ୟ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଚିଡ଼ିଆଖାନା ପରିଦର୍ଶନରେ ଆସି ସେମାନେ ପୋଷ୍ୟ କରିଥିବା ବାଘଟିକ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସ୍ବଳ୍ପକାଳୀନ ଦର୍ଶନ ନିମନ୍ତେ ଅନୁମତି ଦିଆଯିବ।
