କରୋନା ଲଢେଇ ପାଇଁ ଆଉ ଏକ ଅସ୍ତ୍ର : କରୋନା ବଟିକା ପାକ୍ସଲୋଭିଡକୁ ଆମେରିକା ଦେଲା ମଞ୍ଜୁରୀ
ୱାଶିଂଟନ: କରୋନା ଲଢେଇ ପାଇଁ ଆସିଲା ଆଉ ଏକ ଅସ୍ତ୍ର । ଆକ୍ରାନ୍ତଙ୍କ ପାଇଁ ଆସିଲା କରୋନା ବଟିକା । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ କୋରୋନାର ଏହି ମହୋଷଧୀ ପାକ୍ସଲୋଭିଡକୁ ମଞ୍ଜୁର କରିଛି । ଫାଇଜର କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି ବଟିକା ୧୨ବର୍ଷରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତଙ୍କୁ ଦିଆଯିବ । ବୁଧବାର ଏଫଡିଏ ବୈଜ୍ଞାନିକ ପେଟ୍ରିଜିଆ କେଭାଜୋନି କହିଛନ୍ତି ଡାକ୍ତରଙ୍କ ପରାମର୍ଶ ଦ୍ବାରା ହିଁ ଏହି ବଟିକା ଦିଆଯିବ । କରୋନା ଯୁଦ୍ଧରେ ପ୍ରଭାବଶାଳୀ ହେବ । ଆମେରିକା ଏହାର ୧୦ ମିଲିୟନ୍ ଡୋଜ ପାଇଁ ଅର୍ଡର ଦେଇସାରିଛି । କରୋନା ଆକ୍ରାନ୍ତଙ୍କୁ ଏହା ମାଗଣାରେ ଦିଆଯିବ ।
ଏହି ବଟିକା ପାକ୍ସଲୋଭିଡ ୨୨୦୦ଜଣଙ୍କ ଉପରେ ପରୀକ୍ଷା କରାଯାଇଥିବା ଦାବି କରିଛି ନିର୍ମାତା କମ୍ପାନୀ ଫାଇଜର । ଏହି ଔଷଧର ମାତ୍ରା ୫ ଦିନ ପାଇଁ ରହିଛି । ପରୀକ୍ଷଣରୁ ଜଣାପଡିଛି ଯେ ଏହାର ବ୍ୟବହାର ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ୮୮ ପ୍ରତିଶତ ହ୍ରାସ କରିବ। ଖାଦ୍ୟ ଏବଂ ଔଷଧ ପ୍ରଶାସନ ଅନୁଯାୟୀ, ୧୨ ବର୍ଷରୁ ଅଧିକ ବୟସ ଓ ଯେଉଁମାନଙ୍କ ଓଜନ ଅତି କମରେ ୪୦ କିଲୋଗ୍ରାମ ଥିବ ସେମାନଙ୍କୁ ଔଷଧ ଦିଆଯାଇ ପାରିବ । ବୟେଜ୍ୟଷ୍ଠ ଏବଂ ମେଦବହୁଳ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବାକୁ ସକ୍ଷମ ହେବେ । କିଡନୀ ଏବଂ ଯକୃତ ରୋଗରେ ପୀଡିତ ଲୋକମାନେ ଏହା ସେବନ କରିପାରିବେ ନାହିଁ ।
ଫାଇଜର ପାଖରେ ବର୍ତ୍ତମାନ ଏହି ଔଷଧର ୧୮୦,୦୦୦ କୋର୍ସ ରହିଛି । ଯେଉଁଥିରୁ ୭୦,୦୦୦ ଆମେରିକାର ସ୍ବାସ୍ଥ୍ୟ ବିଭାଗକୁ ଦିଆଯାଇଛି । କମ୍ପାନୀ ଅନୁଯାୟୀ, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଏହା ୨୦୨୨ ସୁଦ୍ଧା ୮୦ ନିୟୁତ ଲୋକଙ୍କ ପାଇଁ ଔଷଧ ପ୍ରସ୍ତୁତ କରୁଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଔଷଧର ସମାନ ବଣ୍ଟନ ନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକାର ୪୦ ନିୟୁତ ଲୋକ ଏହି ଟିକା ନେଇ ନାହାଁନ୍ତି। ଟୀକାକରଣର ମାତ୍ରା ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି ।
