ବାଲେଶ୍ୱର : ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣସ୍ଥଳୀ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱର : ପିଏମ କେୟାର୍ସ ଫଣ୍ଡର ଅନୁଦାନରୁ ରାଷ୍ଟ୍ରୀୟ ରାଜପଥ ଓ ଡିଆର୍ଡିଓର ମିଳିତ ସହଯୋଗରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ହେଉଥିବା ଅକ୍ସିଜେନ ପ୍ଲାଣ୍ଟର କାର୍ଯ୍ୟ ସମୀକ୍ଷା କରିବା ପାଇଁ ବୁଧବାର ମଧ୍ୟାହ୍ନ ୨ଟା ୩୦ମିନିଟ୍ ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯାଇଥିଲେ । ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମେ ସିଭିଲି କନଷ୍ଟ୍ରାକସନ ଓ ପରେ ମେସିନ ଇନଷ୍ଟୋଲେସନ ।

ରାଷ୍ଟ୍ରୀୟ ରାଜପଥ ଦ୍ୱାରା ସିଭିଲ କନଷ୍ଟ୍ରାକସନ କାମ ଆରମ୍ଭ ପ୍ରାଥମିକ ସ୍ତରରେ ରହିଛି ଓ ଏହି ମାସ ୨୫ ତାରିଖ ସୁଦ୍ଧା ସିଭିଲି କନଷ୍ଟ୍ରାକସନ କାମ ଶେଷ ହେବ ବୋଲି ଏନ୍ଏଚ୍ଆଇ ପ୍ରୋଜେକ୍ଟ ଡାଇରେକ୍ଟର ଜେପି ବର୍ମା କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି । ତା’ପରେ ଅଳ୍ପ ଦିନ ମଧ୍ୟରେ ଡିଆର୍ଡିଓ ମେସିନ ଇନଷ୍ଟୋଲେସନ କାମ ଶେଷ କରିବ । ନିର୍ମାଣସ୍ଥଳୀରେ ଏକ ଡ୍ରେନ୍ର ପଥ ବଦଳାଇବା ଓ ଅନ୍ୟ କିଛି ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ଏହି ପ୍ଲାଣ୍ଟ କାର୍ଯ୍ୟକାରୀ ହେଲେ ଜିଲା ସମେତ ଆଖପାଖ ଅଞ୍ଚଳରେ ଅକ୍ସିଜେନର ଅଭାବକୁ ଦୂର କରାଯାଇ ପାରିବ । କେନ୍ଦ୍ରମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଜିଲାସଭାପତି ଉମାକାନ୍ତ ମହାପାତ୍ର, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ, ଚିକିତ୍ସାଳୟ ଅଧୀକ୍ଷକ ପ୍ରୋଫେସର ସୁଜାତା ମିଶ୍ର, ଜିଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ ।
