ତିନିରଥକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ଅଭିମୁଖେ ରଥ
ପୁରୀ : ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ରବିବାର ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ସାଢ଼େ ୮ଟା ସୁଦ୍ଧା ଶେଷ ହୋଇଛି। ସକାଳ ୮ଟା ୪୫ରେ ରଥକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ପୂଜାପଣ୍ଡା ସାମନ୍ତ ତିନି ରଥରେ ଏକକାଳୀନ ଆଜ୍ଞାମାଳ ବିଜେ କରାଇଛନ୍ତି । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବ। ପରେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ନିଆଯାଉଛି। ନନ୍ଦିଘୋଷ ରଥକୁ ପ୍ରଥମେ ଟଣା ହେବା ପରେ ଦେବଦଳନ ଓ ଶେଷରେ ତାଳଧ୍ବଜ ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ରଖାଯିବ ।
ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା । ରଥଖଳାରେ ୩ ରଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲା । ରଥ କନା ଲଗାଇବା କାର୍ଯ୍ୟ ଶନିବାର ଠାରୁ ସମ୍ପନ୍ନ ହୋଇସାରିଥିଲା । ରଥ ନିର୍ମାଣ କମିଟିର ବିଶେଷଜ୍ଞମାନେ ୩ ରଥକୁ ଫିଟନେସ୍ ସାର୍ଟିଫିକେଟ୍ ଦେଇଛନ୍ତି । ସୋମବାର ପହଣ୍ଡି ବିଜେ ପାଇଁ ରବିବାର ରାତିରେ ବଡ଼ସିଂହାର ବେଶ ଓ ପହୁଡ଼ ପରେ ବାହୁଟ କଣ୍ଟ ଓ ଶ୍ରୀଜିଉଙ୍କ ଶ୍ରୀ ଅଙ୍ଗରେ ସେନାପଟା ଲାଗି କାର୍ଯ୍ୟ ମଧ୍ୟ କରାଯିବ । ଏଣେ ଆଜିଠାରୁ ରଥଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବାକୁ ଯାଉଛି। ଆଜି ଅର୍ଥାତ୍ ୧୧ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବଡ଼ଦାଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିବ। ଏପରିକି ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ ପ୍ରଶାସନ ରୋକ୍ ଲଗାଇଛି। ସେହିପରି ଏହି ସମୟ ମଧ୍ୟରେ କୌଣସି ବାହାର ଲୋକ ସହର ଭିତରେ ପ୍ରବେଶ କରିପାରିବେ ନାହିଁ ବୋଲି ପ୍ରଶାସନ କଟକଣା ଲଗାଇଥିବା ବେଳେ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କର୍ଫ୍ୟୁ ସମୟରେ ସହରରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ବି ରୋକ୍ ଲଗାଯାଇଛି।


