ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର !
ନୂଆଦିଲ୍ଲୀ : ଚଳିତବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର । ଏନେଇ ଆଇଆଇଟି କାନପୁର କରିଥିବା ଅଧ୍ୟୟନରୁ ଏହା ଜଣାପଡିଛି । ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମାଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । ତୃତୀୟ ଲହର ଖୁବ ଶୀଘ୍ର ଆସିବ ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମା ଅଧ୍ୟୟନ ପରେ ଏହା ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିପାରେ ବୋଲି କହିଛନ୍ତି ।
ଆଇଆଇଟି କାନପୁର ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରି କୁହାଯାଇଛି ଯେ, ତୃତୀୟ ଲହରକୁ ନେଇ ନୀତି ନିର୍ମାତା ଏବଂ ଜନସାଧାରଣଙ୍କ ମଧ୍ୟରେ ଏକ ବଡ ଚିନ୍ତା ରହିଛି। ଆମେ ଅଧ୍ୟୟନ ପରେ ଅନୁମାନ କରୁଛୁ ଯେ ଜୁଲାଇ ୧୫ରେ ଭାରତ ସମ୍ପୂର୍ଣ୍ଣ ଭାବେ ଅନଲକ୍ ହେବ । ଏହାପରେ ୩ଟି ଜିନିଷ ହୋଇପାରେ । ପ୍ରଥମରେ, ଅକ୍ଟୋବରରେ ତୃତୀୟ ଲହର ଶିଖର ଛୁଇଁବ କିନ୍ତୁ ଦ୍ୱିତୀୟ ଲହର ଅପେକ୍ଷା କମ୍ ପ୍ରଭାବ ରହିବ । ଦ୍ଵିତୀୟରେ, ଦ୍ଵିତୀୟ ଲହରଠାରୁ ତୃତୀୟ ଲହର ଅଧିକ ସଂକ୍ରାମକ ହୋଇପାରେ ଏବଂ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ତୃତୀୟରେ, ଯଦି କଠୋର କରୋନା କଟକଣା ପାଳନ କରାଯାଏ, ତେବେ ତୃତୀୟ ଲହର ଆସୁ ଆସୁ ଅକ୍ଟୋବର ହୋଇପାରେ ଏବଂ ଏହା ଦ୍ଵିତୀୟ ଲହରଠାରୁ କମ ପ୍ରଭାବଶାଳୀ ହେବ ।
