ରାଜ୍ୟରେ ଦୈନିକ ୪ଲକ୍ଷ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ
ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନକୁ ଆହୁରି ଅଧିକ ବ୍ୟାପକ କରାଯାଉଛି । ଫଳରେ ଦୈନିକ ଟିକାକରଣ ସାଢ଼େ ୩ଲକ୍ଷ ବଦଳରେ ଏବେ ୪ଲକ୍ଷ ଲୋକଙ୍କୁ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଯେତେଶୀଘ୍ର ସମ୍ଭବ ଟିକାକରଣ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ସରକାର ଶୁକ୍ରବାର ଜିଲାମାନଙ୍କ ପାଇଁ ନୂତନ ଦୈନିକ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ଚଳିତମାସରୁ ରାଜ୍ୟ ସରକାର ଦୈନିକ ଟିକାକରଣ ଲକ୍ଷ୍ୟକୁ ସାଢ଼େ ୩ଲକ୍ଷକୁ ବୃଦ୍ଧି କରିଥିଲେ। ଏବେ ନିୟମିତ ଭାବେ ପ୍ରାୟ ସାଢ଼େ ୩ଲକ୍ଷ ପର୍ଯ୍ୟନ୍ତ ଟିକାକରଣ କରାଯାଉଛି। ହେଲେ ଟିକାର ବିନିଯୋଗ ଅନୁଯାୟୀ କେନ୍ଦ୍ର ସରକାର ଅଧିକ ମାତ୍ରାରେ ଟିକା ଦେବା ପାଇଁ ସୂଚନା ଦେବା ପରେ ରାଜ୍ୟ ସରକାର ଦୈନିକ ଲକ୍ଷ୍ୟକୁ ଆହୁରି ୫୦ହଜାର ବଢ଼ାଇ ଦେଇଛନ୍ତି। ଚଳିତମାସରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୬୦ଲକ୍ଷ ଡୋଜ୍ ଟିକା ଆବଣ୍ଟନ କରିଛନ୍ତି। ହେଲେ ପ୍ରତ୍ୟେକ ମାସରେ ଆବଣ୍ଟିତ ଟିକା ପରିମାଣଠାରୁ ଅଧିକ ସଂଖ୍ୟାରେ ଟିକା ଆସୁଥିବାରୁ ଚଳିତମାସ ମଧ୍ୟ ଆବଣ୍ଟିତ ଟିକା ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଆସନ୍ତା ସୋମବାରଠାରୁ ରାଜ୍ୟରେ ଦୈନିକ ୪ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ଦେଖି ଜିଲ୍ଲାମାନଙ୍କୁ ନୂତନ ଟିକାକରଣ ଲକ୍ଷ୍ୟ ଦିଆଯାଇଛି। ଏନେଇ ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଯଥାଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ ଲକ୍ଷ୍ୟରେ ନୂତନ ଟାର୍ଗେଟ୍ ଦିଆଯାଇଛି। ଯେହେତୁ ପ୍ରତି ମାସରେ କେନ୍ଦ୍ରରୁ ଆବଣ୍ଟିତ ଟିକା ପରିମାଣ ବଢ଼ି ଚାଲିଛି ଏହାକୁ ନଜରରେ ରଖି ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅପରପକ୍ଷରେ କରୋନା ଟିକା ନଷ୍ଟ ନ କରି ଅଧିକ ଲୋକଙ୍କୁ ଟିକା ପ୍ରଦାନ କରିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ପାଲଟିଛି। ରାଜ୍ୟରେ ଏବେ ଟିକା ନଷ୍ଟ ବିଯୁକ୍ତ ୫.୫ ପ୍ରତିଶତ ରହିଛି। ଯାହାଫଳରେ ଅତିରିକ୍ତ ପ୍ରାୟ ୧୨ଲକ୍ଷ ଡୋଜ୍ ଦିଆଯିବା ସମ୍ଭବ ହୋଇଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି। ତେବେ ଟିକା ନଷ୍ଟ ପ୍ରତିଶତ ସବୁବେଳେ ଉପର-ତଳ ହୋଇଥାଏ। ଏହା ସ୍ଥିର ନୁହେଁ। କେନ୍ଦ୍ର ସରକାର ପୂର୍ବରୁ ଯେଉଁଭଳି ଭାବେ କେଉଁ ରାଜ୍ୟ କେତେ ପରିମାଣର ଟିକା ନଷ୍ଟ କରୁଛନ୍ତି, ତାହାର ସଂପର୍କିତ ତଥ୍ୟ ପ୍ରଦାନ କରୁଥିଲେ। ମାତ୍ର ଏବେ ସେଭଳି ତଥ୍ୟ ଆସୁ ନ ଥିବାରୁ ଓଡ଼ିଶା ଦେଶରେ ଟିକା ସଂଚୟ କରିବାରେ ଆଗରେ ରହିଛି ବୋଲି ସେ କହିଛନ୍ତି।
