ଆଜିଠୁ ୨ସପ୍ତାହ ପାଇଁ ଅଦାଲତରେ ସମସ୍ତ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଦିନକୁ ଦିନ ସଂକ୍ରମଣ ଶୀର୍ଷ ଛୁଇଁବାରେ ଲାଗିଥିବା ବେଳେ ଏବେ ସୁପ୍ରିମକୋର୍ଟ ପୁଣି ଅଦାଲତରେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ଓମିିକ୍ରନ ସଂକ୍ରମଣକୁ ନଜରରେ ରଖି ସୁପ୍ରିମକୋର୍ଟ ୨ସପ୍ତାହ ପାଇଁ ସମସ୍ତ ଅଦାଲତରେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ଏହି ସମୟ ମଧ୍ୟରେ ମାମଲାର ଶୁଣାଣି ଭର୍ଚୁଆଲି ମୋଡରେ କରାଯିବ ।
ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ସଂକ୍ରମଣ ଅଧିକ ରହିଛି । ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ଏବେ କୋଭିଡ୍ର ତୃତୀୟ ଲହର ଚିନ୍ତାର କାରଣ ପାଲଟିଛି । ପ୍ରତିଦିନ ନୂତନ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କାର୍ଯ୍ୟ ଯୋଜନା ଅନୁଯାୟୀ, ଯଦି ମାମଲା ସକାରାତ୍ମକତା ହାର କ୍ରମାଗତ ଦୁଇ ଦିନ ପାଇଁ ପାଂଚ ପ୍ରତିଶତରୁ ଅଧିକ ହୁଏ, ତେବେ ଏକ ‘ରେଡ୍’ ଆଲର୍ଟ ଜାରି କରାଯାଇପାରିବ, ଯାହା ଦ୍ୱାରା ରାଜଧାନୀ ଦିଲ୍ଲୀରେ ‘ସମ୍ପୂର୍ଣ୍ଣ କର୍ଫ୍ୟୁ’ ହୋଇପାରିବ ଏବଂ ଅଧିକାଂଶ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇପାରିବ । ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି ।
