ଆଜିଠୁ ଦିଲ୍ଲୀରେ ଖୋଲିବ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପଲେକ୍ସ
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ଗ୍ରାଫ୍ ତଳମୁହାଁ। ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବର୍ତ୍ତମାନ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିମ୍, ବାର୍ ପରେ ଏବେ ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପଲେକ୍ସ ଖୋଲିବାକୁ ଯାଉଛି । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ସୋମବାର ଠାରୁ ବିନା ଦର୍ଶକରେ ଖୋଲାଯିବ ଷ୍ଟାଡିୟମ ଓ ସ୍ପୋର୍ଟସ୍ କମ୍ପ୍ଲେକ୍ସ । ଏନେଇ ଦିଲ୍ଲୀ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀରେ ଷ୍ଟାଡିୟମ କିମ୍ବା ସ୍ପୋର୍ଟସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି କେବଳ ତାଲିମ ପାଇଁ ଥିଲା ।
ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଯେଉଁମାନେ ପ୍ରଶିକ୍ଷଣ ପାଇଁ ଜାତୀୟ କିମ୍ବା ଆନ୍ତର୍ଜାତୀୟ ଖେଳର ଇଭେଣ୍ଟରେ ଭାଗ ନେବାକୁ ଯାଉଛନ୍ତି ସେମାନେ ହିଁ ଷ୍ଟାଡିୟମକୁ ଯାଇପାରୁଥିଲେ । ଏହା ସହ ଜାତୀୟ କିମ୍ବା ଆନ୍ତର୍ଜାତୀୟ ଖେଳର ଇଭେଣ୍ଟ ଆୟୋଜନ ପାଇଁ ଅନୁମତି ଦିଆଯାଇଥିଲା । ଅନ୍ୟପଟେ ଏହି ଅନଲକ୍ ପ୍ରକ୍ରିୟାରେ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବା ପାଇଁ ମନା କରାଯାଇଛି। ଦିଲ୍ଲୀ ସରକାର ଏଗୁଡିକୁ ବର୍ତ୍ତମାନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ଗତ ସପ୍ତାହରେ ଘୋଷଣା ହୋଇଥିବା ଅନଲକ୍ ପ୍ରକ୍ରିୟାରେ ବିବାହ ହଲ୍ ଏବଂ ହୋଟେଲ ପାଇଁ ନିୟମ କୋହଳ କରାଯାଇଥିଲା । ଏହି ସ୍ଥାନଗୁଡିକରେ ସର୍ବାଧିକ ୫୦ ଜଣଙ୍କ ଉପସ୍ଥିତି ଅନୁମତି ଦିଆଯାଇଛି । ଜିମ୍ ଏବଂ ଯୋଗ କେନ୍ଦ୍ରଗୁଡିକରେ ମଧ୍ୟ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ ସେଠାରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ପଡିବ । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜୋରିମାନା ଆଦାୟ କରିବାକୁ କୁହାଯାଇଛି ।
