ଅଫ୍ଲାଇନ୍ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : ୮୦.୮୩% ପାସ୍
କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । ଶିକ୍ଷାବର୍ଷ ୨୦୨୦-୨୧ରେ ଅଫ୍ଲାଇନ୍ରେ ହୋଇଥିବା ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ଅପରାହ୍ନରେ ପ୍ରକାଶ ପାଇଛି। ଅଫ୍ଲାଇନ୍ ପରୀକ୍ଷାରେ ମୋଟ୍ ୫୨୩୩ ଜଣ ଅର୍ଥାତ ୮୦.୮୩% ପିଲା ପାସ୍ କରିଛନ୍ତି। ୩୧୦୦ ଛାତ୍ର ଏବଂ ୨୧୩୩ ଛାତ୍ରୀ ପାସ୍ କରିଛନ୍ତି । ଅଫଲାଇନରେ ଛାତ୍ରୀଙ୍କ ତୁଳନାରେ ଛାତ୍ର ଆଗରେ ରହିଛନ୍ତି । A1 ରେ ୪୨ ଜଣ ପାସ କରିଛନ୍ତି । A2ରେ ୨୫୫ ଜଣ, B2ରେ ୩୪୮ ଜଣ, B2ରେ ୪୫୮ ଜଣ ପାସ କରିଛନ୍ତି । ସେହିଭଳି C ଗ୍ରେଡ୍ରେ ୫୯୯ ଏବଂ D ଗ୍ରେଡ୍ରେ ୮୪୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।
www.bseodisha.ac.in ଓ୍ବେବ୍ସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ଅଛି । ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ତେବେ କରୋନା କାଳରେ ପରୀକ୍ଷା ହୋଇଥିବାରୁ ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନାହାନ୍ତି। ତେଣୁ ଅନୁପସ୍ଥିତ ହୋଇ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବର ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଅଫ୍ଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣଙ୍କ ନମ୍ବର ବଢ଼ିଥିବା ବେଳେ ୪୫୯ ଜଣଙ୍କର ନମ୍ବର କମିଛି। ତେବେ ଅଫ୍ଲାଇନ୍ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ରି-ଚେକିଂ ପାଇଁ ଛାତ୍ରଛାତ୍ରୀ ପୁଣି ଥରେ ଆବେଦନ କରିପାରିବେ। ଆସନ୍ତା ସେପ୍ଟେମ୍ବର ୮ ସୁଦ୍ଧା ରି-ଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସୂଚନା ଯେ, ଅଫଲାଇନରେ ମୋଟ ୬୬୨୦ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ କିନ୍ତୁ ୧୦୮୬ ଜଣ ପରୀକ୍ଷା ଦେଇନଥିଲେ । ଅନଲାଇନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା ଦେବାକୁ ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଏହି କ୍ରମରେ ପରୀକ୍ଷା କରାଯାଇ ମଙ୍ଗଳବାର ଫଳ ପ୍ରକାଶ କରାଯାଇଛି ।
