ଯୋଗ ଉପରେ ଗବେଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
- ଜାତୀୟ ଡାକ୍ତର ଦିବସ ଅବସରରେ ଆଏମଏକୁ ସମ୍ବୋଧନ
ନୂଆଦିଲ୍ଲୀ : ଜାତୀୟ ଡାକ୍ତର ଦିବସ ଅବସରରେ ଗୁରୁବାର ଭାରତୀୟ ଚିକିତ୍ସକ ସଂଘ (ଆଏମଏ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗର ଉପକାରିତା ଉପରେ ଗବେଷଣା କରିବାକୁ ଆହ୍ୱାନ ଦେଇଛନ୍ତି । ଡାକ୍ତରମାନେ ଯୋଗ ଉପରେ ଗବେଷଣା କଲେ ସାରା ବିଶ୍ୱ ଏହା ଉପରେ ଚର୍ଚ୍ଚା କରିବ । ଆଇଏମଏ ପକ୍ଷରୁ ଏହାକୁ ଏକ ମିଶନ ଭାବେ କାର୍ଯ୍ୟକାରୀ କରାଯାଇପାରିବ କି ବୋଲି ପ୍ରଧାନମନ୍ତ୍ରୀ ପଚାରିଛନ୍ତି । ଯୋଗ ଉପରେ ଆପଣମାନଙ୍କ ଗବେଷଣା କଣ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ପାଇବ କି ବୋଲି ଡାକ୍ତରମାନଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ସେହିପରି ‘ଆଜି ଆମ ଡାକ୍ତରମାନଙ୍କ ପକ୍ଷରୁ କୋଭିଡ୍ ପ୍ରୋଟୋକଲ୍ ପ୍ରସ୍ତୁତ ହେଉଛି ଏବଂ ଏହାକୁ ଲାଗୁ ମଧ୍ୟ କରାଯାଉଛି। ଆମେ ଦେଖିଛୁ କେମିତି ମେଡିକାଲ୍ ଭିତ୍ତିଭୂମିକୁ ଅଣଦେଖା କରାଯାଇଥିଲା। ତମାମ ପରିସ୍ଥିତି ସତ୍ବେ ଭାରତର ସ୍ଥିତି ଅନେକ ବିକଶିତ ଦେଶ ତୁଳନାରେ ସ୍ଥିର ଏବଂ ଭଲ ରହିଛି।’ ଆଗକୁ ମୋଦୀ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି କରୋନାର ସମସ୍ତ ନିୟମ ପାଳନ କରନ୍ତୁ। ବର୍ତ୍ତମାନ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ଲୋକେ ଯୋଗକୁ ଆଗକୁ ନେବା ପାଇଁ ଅପିଲ୍ କରୁଛନ୍ତି। ଅନେକ ଆଧୁନିକ ମେଡିକାଲ୍ ସଂସ୍ଥା ଏହା ଉପରେ ଗବେଷଣା ଆରମ୍ଭ ମଧ୍ୟ କରିଛନ୍ତି। କରୋନା ସଂକ୍ରମିତ ହେବା ପରେ ଯୋଗ କେମିତି ଲୋକଙ୍କୁ ସୁସ୍ଥ କରାଇବାରେ ସହାୟକ ହେଉଛି ତାହା ଉପରେ ଷ୍ଟଡି ଆରମ୍ଭ ହୋଇଛି।
Addressing the doctors community. Watch. https://t.co/lR8toIC88w
— Narendra Modi (@narendramodi) July 1, 2021
ଏହି ଅବସରରେ ପ୍ରଧାନମନ୍ତ୍ରୀ ଡାକ୍ତରଙ୍କ ଭୂୟସୀ ପ୍ରଶଂସା କରିବା ସହ କହିଛନ୍ତି, ‘ଆମ ଡାକ୍ତରଙ୍କ ଜ୍ଞାନ ଏବଂ ଅନୁଭବକୁ ନେଇ ଆମେ କରୋନା ଭୂତାଣୁ ସହ ଲଢ଼ିବାରେ ସକ୍ଷମ ହେଉଛୁ। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟକୁ ସରକାରଙ୍କ ପକ୍ଷରୁ ଦୁଇ ଗୁଣ କରିଦିଆଯାଇଛି।’ ଏହା ସହ ବର୍ତ୍ତମାନ ଦେଶ କରୋନା ସହ ଲଢ଼ୁଥିବା ବେଳେ ଡାକ୍ତରମାନେ ଦିନ ରାତି ଏକ କରି ପରିଶ୍ରମ କରୁଛନ୍ତି ଏବଂ ଜୀବନ ବଞ୍ଚାଉଛନ୍ତି। ଅନେକ ଡାକ୍ତର ଦେଶ ପାଇଁ ସେବା କରି ନିଜ ଜୀବନ ହରାଇଛନ୍ତି। ଜୀବନ ହରାଇଥିବା ସମସ୍ତଙ୍କ ଡାକ୍ତରଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପିଏମ ମୋଦୀ କହିଛନ୍ତି, ଡାକ୍ତର ବି.ସି ରୟଙ୍କ ସ୍ମୃତୀରେ ପାଳନ ହେଉଥିବା ଡକ୍ଟର୍ସ ଡେ ଆମ ମେଡିକାଲ୍ ଭାଇଚାରାର ଅନ୍ୟତମ ନିଦର୍ଶନ। ବିଶେଷ କରି ଗତ ଦେଢ଼ ବର୍ଷ ହେଲା ଡାକ୍ତରମାନେ ଯେମିତି ଦେଶବାସୀଙ୍କ ସେବା କରୁଛନ୍ତି ତାର ଏକ ଉଦାହରଣ। ସରକାର ଡାକ୍ତରଙ୍କ ବିରୋଧରେ ହିଂସାକୁ ରୋକିବା ପାଇଁ କଡ଼ା ଆଇନ୍ ଆଣିଛନ୍ତି। ଏହା ସହ ଆମେ ଡାକ୍ତରଙ୍କ ପାଇଁ ମାଗଣା ବୀମା ସ୍କିମ୍ ନେଇଆସିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
