୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ
ଭୁବନେଶ୍ୱର : ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ଉଡ଼ିବା ସମ୍ଭାବନା ଉଜ୍ଜ୍ଵଳ ବୋଲି ମନ୍ତ୍ରୀ କହିଛନ୍ତି । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ସାମ୍ପ୍ରତିକ କରୋନା ପରିସ୍ଥିତି ପାଇଁ ବିମାନ ଉଡାଣ ପ୍ରଭାବିତ ହେଉଛି । ରାଜ୍ୟର ଉତକେଲା, ରାଉରକେଲା, ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି । ଏହାସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେପଟେ ଡାକୋଟା ବିମାନ ପାଇଁ ଜାଗା ଚିହ୍ନଟ ହୋଇଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ। ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏୟାରପୋର୍ଟ ଅଥରିଟିଙ୍କୁ ରାଜ୍ୟ ସରକାର ଚିଠି ଲେଖିଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ରାଜ୍ୟ ସରକାର ଦିନରାତି କସରତ କରୁଛନ୍ତି । ଏହାମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗମନାଗମନକୁ ଆହୁରି ସରଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରୁ ପୁରୀ ଧାମକୁ ସାରା ବିଶ୍ବରୁ ଲୋକେ ଆସୁଛନ୍ତି । ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀ କୋଣାର୍କ ପୁରୀରୁ ମାତ୍ର ୩୫ କି.ମି. ଦୂରରେ ରହିଛି । ସାଂସ୍କୃତିକ, ଆର୍ଥିକ, ପର୍ଯ୍ୟଟନ ହବ୍ ହେବା ପାଇଁ ପୁରୀରେ ଅପୂର୍ବ ସୁଯୋଗ ରହିଛି । ଏହାକୁ ଆଖିରେ ରଖି ବିମାନବନ୍ଦର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ।
