ଦିନରେ ଲଣ୍ଠନ ଦେଖାଉଥିବା ଶାସକ ଦଳକୁ ପଦ୍ମପୁରବାସୀ ଭୋଟ୍ ମାଧ୍ୟମରେ ଲାଇଟ୍ ଦେଖାଇବେ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜ ନାଁରେ କରି ବାହାବା ନେବାର ଅପଚେଷ୍ଟା କରୁଛନ୍ତି । ଓଡ଼ିଶା ସରକାରଙ୍କ ପାଖରେ ସୃଜନଶୀଳତା ନାହିଁ । ନୂଆ ଭାବିବା ପାଇଁ ଆଉ ତାଙ୍କର କଳ୍ପନା ଓ ଇଚ୍ଛାଶକ୍ତି ନାହିଁ । ଓଡ଼ିଶା ସରକାର ଥକି ଗଲେଣି । ମାଛ ତେଲରେ ମାଛ ଭାଜିବା ସହ ପର ଘର ତିଅଣରେ ଅତିଥି ସତ୍କାର କରିବାର ନୀତି ସ୍ଥାନୀୟ ସରକାର ଆପଣାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପଦ୍ମପୁର ନିର୍ବାଚନମଣ୍ଡଳୀରେ ନିଜ ପ୍ରଚାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପାଇକମାଲ ବ୍ଲକ ବାଦିକଟା, ପଦ୍ମପୁର ବ୍ଲକର ଖଇରପାଲି ଓ ଦହିତା ଠାରେ ଆୟୋଜିତ ଜନସଭାକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ୨୨ ବର୍ଷରେ ଯେଉଁମାନେ ଲୋକମାନଙ୍କୁ ମୌଳିକ ସୁବିଧା ଦେଇପାରିଲେ ନାହିଁ ସେମାନେ ଆଜି ମିଛ ସୁଆଙ୍ଗ ରଚୁଛନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେଡି ନିର୍ବାଚନର ବୈତରଣୀ ପାର୍ ହେବା ପାଇଁ ଚାହୁଁଛି । ଏହି ସଂଗ୍ରାମୀ ମାଟି ଶାସକ ଦଳର ଷଡଯନ୍ତ୍ରର ଉଚିତ ଜବାବ୍ ଦେବ । ଦିନରେ ଲଣ୍ଠନ ଦେଖାଉଥିବା ଶାସକ ଦଳର ଲୋକଙ୍କୁ ପଦ୍ମପୁରବାସୀ ଭୋଟ୍ ମାଧ୍ୟମରେ ଲାଇଟ୍ ଦେଖାଇବେ । ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଭାରତ ସରକାରଙ୍କ ଯୋଜନାର ଶ୍ରେୟ ନେବା ପାଇଁ ସେ ସବୁ ଯୋଜନାକୁ ମୁଁ କରିବାର ଅପଚେଷ୍ଟା କରୁଛନ୍ତି । ସେହି କ୍ରମରେ ରାଜ୍ୟରେ ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ଘୋଷଣା କରାଯାଇଛି । ଏହା ଭାରତ ସରକାରଙ୍କ ଗ୍ରାମୀଣ ବିକାଶର ଏକ ଯୋଜନା । ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଗ୍ରାମାଞ୍ଚଳର ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଦୀନଦୟାଲ ଅନ୍ତୋଦୟ ଯୋଜନା -ଜାତୀୟ ଗ୍ରାମୀଣ ଜୀବିକା ମିଶନ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଭାରତ ସରକାର ଭାରତୀୟ ବ୍ୟାଙ୍କ ମାନଙ୍କରୁ ମହିଳାମାନଙ୍କୁ ଆନୁଷଙ୍ଗିକ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱଳ୍ପ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ବ୍ୟବସ୍ଥା କରିଛନ୍ତି । ସୁଧର ହାର ୧୧ ପ୍ରତିଶତ ଥିବା ବେଳେ ମୋଦି ସରକାର ଅଧିକ ଭାଗ ୭ ପ୍ରତିଶତ ସୁଧ ହାରରେ ରିହାତି ଦେଇ ସେହି ସୁଧ ହାରକୁ ନିଜେ ବହନ କରି ସ୍ୱଳ୍ପ ହାରରେ ମହିଳା ମାନଙ୍କୁ ଋଣ ଦେଇ ସେମାନଙ୍କୁ ଆତ୍ମନିର୍ଭର କରିବାର ବ୍ୟବସ୍ଥା କରିଛନ୍ତି । ଏହି ବଳକା ସୁଧ ହାର ରାଜ୍ୟ ସରକାର ଛାଡ କରି ପଦ୍ମପୁର ନିର୍ବାଚନକୁ ଆଖିରେ ରଖି ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ଘୋଷଣା କରିବା ଚଞ୍ଚକତାର ବିଷୟ । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଆଜି ପ୍ରତିଦିନ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସରକାର ଏହି ବିଷୟରେ ସ୍ପଷ୍ଟୀକରଣ ଦିଅନ୍ତୁ । ଇନପୁଟ ସବସିଡି ଘୋଷଣାର ପ୍ରାୟ ଅନେକ ଦିନ ପରେ ବି ଟଙ୍କା ଆସିନାହିଁ । ପଦ୍ମପୁରକୁ କେତେ ଇନପୁଟ ସବସିଡି ଦେବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ କି ? ନୂତନ ଜିଲ୍ଲା ହେବା ପାଇଁ ପଦ୍ମପୁରର ସମସ୍ତ ଯୋଗ୍ୟତା ରଖୁଥିବା ପରେ ମଧ୍ୟ ଜିଲ୍ଲା ହେଲା ନାହିଁ । ସତରେ ଏ ଅଞ୍ଚଳ ପ୍ରତି ପ୍ରତିବଦ୍ଧତା ଥିଲେ ବିଜେଡ଼ି ସଭାପତି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଭାବରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ଘୋଷଣା କରନ୍ତୁ ।
ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଣ୍ଟନ ପାଇଁ ପଇସା ଆବଣ୍ଟନ କରୁଥିଲେ ସୁଦ୍ଧା ଭ୍ରଷ୍ଟାଚାରୀ ସରକାର ଘରେ ଉପଲବ୍ଧ କରାଉନାହାନ୍ତି । ଆବାସ ପ୍ଲସ ପୋର୍ଟାଲ ବାରମ୍ବାର ଖୋଲାଯିବା ପରେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ରକୁ ଯୋଗ୍ୟ ହିତାଧିକାରୀଙ୍କ ନାଁ ଦେଲେ ନାହିଁ । ପଶ୍ଚିମ ଓଡ଼ିଶାକୁ ଅଣଦେଖା କଲେ । ପିଏମ ଆବାସରେ ଓଡିଶାର ସବୁ ଜିଲ୍ଲାର ଲୋକମାନଙ୍କ ନାଁ ଗଲେ ଭାରତ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାର ବ୍ୟବସ୍ଥା କରିବେ ।
ବିଧାନସଭାରେ ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରଶ୍ନରେ ରାଜ୍ୟ ସରକାର ମିଛ କହୁଛନ୍ତି । ପାନୀୟ ଜଳ ନପାଇ ଜନସାଧାରଣ ନଦୀ, ପୋଖରୀ, ଚୁଆର ପାଣି ବ୍ୟବହାର କରିବା ସରକାରଙ୍କ ଦୃଷ୍ଟିଗୋଚର ହେଉନଥିବା କହୁଥିବା ବେଳେ ବାସ୍ତବରେ ଏବେ ବି ବରଗଡ ଜିଲ୍ଲାର ମହିଳାମାନେ ନଦୀ ଓ ପୋଖରୀକୁ ପାଣି ଆଣିବା ପାଇଁ ଯାଉଛନ୍ତି ।
କୁନା ପୁରୋହିତ ଏ ଅଞ୍ଚଳର ସ୍ୱାଭିମାନର ପ୍ରତୀକ । ଆଗାମୀ ୫ ତାରିଖରେ ପଦ୍ମ ଫୁଲରେ ଭୋଟ ଦେଇ ଆଶୀର୍ବାଦ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି
