ସାଧୁ ଗୋସେଇଁ ପୀଠର ଚବିଶ ପ୍ରହର ନାମ ଯଜ୍ଞ
ଯାଜପୁର : ବିରଜା ମନ୍ଦିର ଅନତି ଦୂରରେ ସାଧୁ ଗୋସେଇଁ ମନ୍ଦିର ଅବସ୍ଥିତ । ଦଶରଥପୁର ବ୍ଲକ ଅକରପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ମଲ୍ଲିକାପୁର ଗ୍ରାମର ସାଧୁଗୋସେଇଁ ପୀଠ ପବିତ୍ର ମକର ସଂକ୍ରାନ୍ତିରେ ସାଧୁ ଗୋସେଇଁଙ୍କ ଜନ୍ମ ଉତ୍ସବ ଅବସରରେ ପ୍ରତିବର୍ଷ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ୫୦ ବର୍ଷ ଚବିଶ ପ୍ରହର ନାମଯଜ୍ଞର ପୂର୍ତ୍ତି ଉତ୍ସବରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନାମ ସଂକୀର୍ତ୍ତନ ଦଳଙ୍କୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର କର୍ମକର୍ତ୍ତା ପ୍ରଦାନ କରିଥିଲେ । ମହାପୁରୁଷ ସାଧୁବାବା ଏହି ପୀଠରେ ଜୀବନ୍ତ ସମାଧିସ୍ଥିତ ହୋଇଥିଲେ । ଏହି ସମାଧି ପୀଠ ଏକ ଆଧ୍ୟାତ୍ମିକ ପରିବେଶରେ ସେବେଠାରୁ ମଲ୍ଲିକାପୁର ଗ୍ରାମବାସୀ ଏହି ପବିତ୍ର କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିଆସିବା ବାସ୍ତବିକ ପ୍ରଶଂସନିୟ କାର୍ଯ୍ୟ । ପ୍ରତି ବର୍ଷ ଯାଜପୁର ପୌରପାଳିକା, ଅକରପଡ଼ା, ଚିତାଳୋ ଓ ବିହାରୀ ଗ୍ରାମପଞ୍ଚାୟତର ଶହସ୍ରାଧିକ ଶ୍ରଦ୍ଧାଳୁ ଏହି ନାମ ସଂକୀର୍ତ୍ତନରେ ଯୋଗଦେଇ ସାଧୁବାବାଙ୍କ ଆଶିଷ ଲାଭ ସହ ପ୍ରସାଦ ସେବନ କରିଥାନ୍ତି । ପ୍ରକାଶଥାଉକି ୧୯୫୩ ମସିହାରେ ସାଧୁ ଗୋସେଇଁଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଏହି ୫୦ତମ ନାମ ଯଜ୍ଞ ପାଳନ ଅବସରରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ, ପ୍ରାକ୍ତନ ଦଶରଥପୁର ବ୍ଲକ ଅଧ୍ୟକ୍ଷ ଆଦିକନ୍ଦ ସନ୍ଧିବିଗ୍ରହ, ଆଇନଜୀବୀ ଧିରେନ୍ଦ୍ର କୁମାର ମହାନ୍ତି, ଶ୍ରୀକାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ସାଧୁଗୋସେଇଁଙ୍କ ଆଶିଷ ଭିକ୍ଷା କରିଥିଲେ । ପବିତ୍ର ମକରସଂକ୍ରାନ୍ତି ଦିନ ପ୍ରତ୍ୟୁଷରୁ ସାଧୁ ବାବାଙ୍କ ପୂଜାର୍ଚ୍ଚନା ସହ ସୂର୍ଯ୍ୟପୂଜା, ହୋମ, ଯଜ୍ଞ, ଗୋ-ପୂଜା, ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲାପରେ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ନାମ ଯଜ୍ଞ ମଣ୍ଡପଟି ଅପୂର୍ବ ସାଜସଜ୍ଜା ସହ ମନ୍ଦିର ଆଲୋକିକରଣ ବାସ୍ତିବକ ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରିଥିଲା । ପ୍ରତିଦିନ ୧୦ ରୁ ୧୫ ନାମ ସଂକୀର୍ତ୍ତନ ଦଳ ଯୋଗଦେବା ସହ ୩ ଦିନରେ ପ୍ରାୟ ୩୦ ରୁ ୪୦ ଦଳ ଯୋଗଦେଇ ସାଧୁ ଗୋସେଇଁ ପୀଠକୁ ପବିତ୍ରତାରେ ଉତ୍ସବମୁଖର କରିଥିଲେ । ଏହି ପ୍ରାଚୀନ ସାଧୁଗୋସେଇଁ ପୀଠର ଉନ୍ନତିକରଣ ନିମନ୍ତେ ଯାଜପୁର ବିଧାୟକ ବିକାଶର କର୍ଣ୍ଣଧାର ମାନ୍ୟବର ପ୍ରଣବ ପ୍ରକାଶ ଦାସଙ୍କ ଠାରେ ଯୋଗଦେଇଥିବା ଯାଜପୁର ବିଧାୟକଙ୍କ ପ୍ରତିନିଧି ମାନ୍ୟ କର୍ଣ୍ଣାଟକେଶରୀ ଦାସଙ୍କ ମାଧ୍ୟମରେ ଗ୍ରାମବାସୀ ଅନୁରୋଧ କରିଥିଲେ । ନାମ ଯଜ୍ଞ କମିଟିର ସହଯୋଗର କର୍ଣ୍ଣଧାର ପ୍ରାକ୍ତନ ବ୍ୟାଙ୍କ ଅଫିସର ପ୍ରଭାତ କୁମାର ଦାସ, ବିଷ୍ଣୁ ଚରଣ ଜେନା, ବ୍ରହ୍ମାନନ୍ଦ ଦାସ, ପ୍ରଶୂନ କୁମାର ଜେନା, ବ୍ରଜକିଶୋର ଦାସ, ଦେବାଶିଷ ମହାନ୍ତି, ନରେନ୍ଦ୍ର ଜେନାଙ୍କ ସମେତ ଗ୍ରାମବାସୀ, ସାଧୁଗୋସେଇଁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସହଯୋଗ କରିଥିଲେ ।
