ରାଜ୍ୟରେ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ
- ୧୧ରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା !
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨ ଦିନ ପ୍ରାକ୍-ମୌସୁମୀ ବର୍ଷା ପରେ ୧୦ ତାରିଖରେ ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଆଗମନ ଫଳରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପବନର ବେଗ ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ଆଉ ପବନ । ଅଧଘଣ୍ଟାରେ ୩୦ ମିଲିମିଟର ବର୍ଷା ଢାଳିଲା । ଘଣ୍ଟା ପ୍ରତି ପ୍ରାୟ ୫୦ କିମି ବେଗରେ ପବନ ବହିଲା । ୨ ମିନିଟ୍ ପାଇଁ ପବନ ବେଗ ଘଣ୍ଟା ପ୍ରତି ୭୬ କିମି ପହଞ୍ଚିଯାଇଥିଲା । ଅନେକ ଜାଗାରେ ବର୍ଷା, ପବନ ଯୋଗୁ ଗଛ ଭାଙ୍ଗିଛି । ହୋର୍ଡିଂ ଉଡ଼ିଛି। କେବଳ ଭୁବନେଶ୍ୱର ନୁହେଁ, ସୋମବାର ସନ୍ଧ୍ୟା ସୁଦ୍ଧା କଟକ, ସମ୍ବଲପୁର, ଦାରିଙ୍ଗିବାଡ଼ିରେ ବି ବର୍ଷା, ପବନ ହୋଇଛି । ରାତିରେ ଆହୁରି ଅନେକ ଜାଗାରେ ବର୍ଷା, ପବନ ଆଶଙ୍କା ଅଛି । ଏହା ହେଉଛି ପ୍ରାକ୍ ମୌସୁମୀ ବର୍ଷା । ମୌସୁମୀ ଆଗମନର ପୂର୍ବାଭାସ । କେନ୍ଦ୍ର କହିଛି ଯେ ୧୧ ତାରିଖ ଦିନ ରାଜ୍ୟର ୮ ଜିଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ପୁରୀ, ଖୋର୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର ଓ କଳାହାଣ୍ଡି ଆଦି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏହି ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜରି କରିଛି କେନ୍ଦ୍ର।
ମଙ୍ଗଳବାର (୮ ତାରିଖ) ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ, ଦକ୍ଷିଣ ଉପକୂଳର ଅଳ୍ପ କେତେକ ଅଞ୍ଚଳ ଏବଂ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ାକୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବୁଧବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ଅଧିକ । ଗୁରୁବାର (୧୦ ତାରିଖ) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲାର ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ଅଛି ।ଶୁକ୍ରବାର (୧୧ ତାରିଖ) ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ସମ୍ଭାବ୍ୟ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ୧୧ ତାରିଖରୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ସତର୍କ କରାଇ ଦେଇଛି । ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି, ସେମାନେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ କୁହାଯାଇଛି । ଲଗାଣ ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବାକୁ ଏସଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ଯେପରି କୃତ୍ରିମ ବନ୍ୟା ସ୍ଥିତି ନ ଉପୁଜିବ, ସେଥିପାଇଁ ର୍ଆଗୁଆ ପଦକ୍ଷେପ ନେବା ପାଇଁ କୁହାଯାଇଛି ।
