ଚାଲିଛି ମୟୂରଭଞ୍ଜ ପୁସ୍ତକମେଳା ବିଭିନ୍ନ କାର୍ଯ୍ୟକ୍ରମ ସହ ବହି ଷ୍ଟଲରେ ବ୍ୟାପକ ଭିଡ
ବାରିପଦା : ୯ମ ମୟୁରଭଞ୍ଜ ପୁସ୍ତକ ମେଳାର ଷଷ୍ଠ ଦିବସରେ ବହି ଷ୍ଟଲରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ଏନ.ବି.ଟି., ବିଦ୍ୟାପୁରୀ, ସୂର୍ଯ୍ୟନାରାୟଣ, ସାଇ ଯମୁନା, ସାଇନାଥ, କନିକା ତଥା ବାରିପଦା ଷ୍ଟଡି କମ୍ପେ୍ଲକ୍ସ ଭଳି ଷ୍ଟଲରେ ବହି ପାଇଁ ଅଧିକ ଭିଡ଼ ପରିଲକ୍ଷିତ ହୋଇଥିଲା । ଏମିତି କି ବାରିପଦାର ଅନ୍ୟତମ ସାରସ୍ୱତ ସଂଗଠକ ଶରତଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଖୋଲିଥିବା ମୟୂରଭଂଜର ଲେଖକ ଲେଖିକାଙ୍କ ପୁସ୍ତକ ଷ୍ଟଲରେ ମଧ୍ୟ ଭଲ ବିକ୍ରିବଟା ହେଉଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାନ୍ଧ୍ୟ ସଭାରେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ମୁଖ୍ଯଅତିଥି ଭାବରେ ଯୋଗ ଦେଇ ଭଂଜମାଟିର ସଂସ୍କୃତି ଓ ସାହିତ୍ୟ ଅନନ୍ୟ ବୋଲି ମତ ରଖିଥିଲେ । ପୁସ୍ତକମେଳାର ଅନ୍ୟତମ ସଦସ୍ୟ ଅଧ୍ୟାପକ ସନ୍ଦୀପ ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବରେ ଉଦଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ଡ. କୁମାର ଗୋପାଳ ଏବଂ ପ୍ରାକ୍ତନ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଅନ୍ୟତମା ସଦସ୍ୟା ସୁସ୍ମିତା ଘୋଷାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସଦସ୍ୟ ନରସିଂହ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଫେନସି ଡ୍ରେସ ପ୍ରତିଯୋଗିତାରେ ସୁନିର୍ବାଚିତ ୧୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସୁସ୍ମିତା ଘୋଷାଲ, କାବେରୀ ମିଶ୍ର, ସୁପ୍ରୀତି ଦଳବେହେରା, ସଂଯୁକ୍ତା ଚାନ୍ଦ ବିଚାରକ ଭାବରେ ଯୋଗ ଦେଇଥିଲେ । ପ୍ରତିଯୋଗୀତାରେ ସମୀକ୍ଷା, ସାର୍ଥକ ଏବଂ ରିୟାଂଶୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଲାଭ କରିଥିଲେ । ସେହିପରି ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ଯାପକ ସମରେନ୍ଦ୍ର ବଶା ଓ ନୃତ୍ୟଗୁରୁ ଆହିଦ ଖାନ ପରିଚାଳନା କରିଥିବା ବେଳେ, ରାଜ୍ୟର ପ୍ରସିଦ୍ଧ ନଂ୧ ଡ୍ୟାନ୍ସ ଗ୍ରୁପର କଳାକାର ତଥା ମୟୂରଭଂଜ କଲେଜ ଅଫ ଏକାଉଂଟେନସି ଏଣ୍ଡ ମେନେଜମେଂଟର ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ଅପରାହ୍ନରେ ଆୟୋଜିତ କବିତାପାଠ ଇଂ.ସୁରଜ କୁମାର ତ୍ରିପାଠୀ, ବିଶେଶ୍ୱର ଦ୍ୱିବେଦୀ ଏବଂ ସୁଶ୍ର କାବରୀ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜନ ହୋଇଥିଲା । କବୟିତ୍ରୀ ପାର୍ବତୀ ବାରିକ ଓ ଗୋପାଳ ସାଓ କବିତା ସଂଯୋଜନା କରିଥିଲେ ।
