ସ୍ନାନବେଦୀରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ
ପୁରୀ : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ଏହି ଅବସରରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ । କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ଆଜି ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଥିଲେ । ସ୍ନାନମଣ୍ଡପରେ ମଙ୍ଗଳ ଆଳତି ପରେ ଅନ୍ୟ ନୀତିକାନ୍ତି ଚାଲିଛି । ଷୋଡ଼ଷ ଉପଚାର ପୂଜା ପରେ ଏବେ ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ । ଦିନ ସାଢେ ୧୦ଟା ବେଳକୁ ଛେରାପହରା ବିଧି କରାଯିବ । ତେବେ ଗଜପତି ମହାରାଜା ଆଜି ଛେରାପହରା କରିବେ ନାହିଁ । ତାଙ୍କ ବଦଳରେ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହରା କରିବେ । ଆଜି ଦିନ ୧୧ଟା ରୁ ୧୨ଟା ମଧ୍ୟରେ ଶ୍ରୀଜୀଉମାନଙ୍କ ହାତୀବେଶ କରାଯିବାକୁ ସମୟ ଧାର୍ୟ୍ୟ ହୋଇଛି ।
କଣ ପାଇଁ ୧୦୮ ସୁନା କଳସି ଜଳରେ ସ୍ନାନ କରାଯାଇଥାଏ :
ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକରୁ ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ। ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ ବିଜେ କରାଇଥିଲେ। ସେହିଠାରେ ସେତେବେଳେ ଦାରୁବ୍ରହ୍ମଙ୍କୁ ୧୦୮ ସୁନା କଳସୀ ଜଳରେ ପ୍ରଥମେ ସ୍ନାନ କରାଇଥିଲେ। ଏହାପରେ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଥିଲା। ସେହି ଦିନଠାରୁ ପ୍ରତି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ତିନିଠାକୁରଙ୍କୁ ସ୍ନାନ କରାଯାଉଛି। ସେତେବେଳେ ମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ କରାଯାଇ ସ୍ନାନ କରାଯାଇଥିବାରୁ କେତେକ ଶାସ୍ତ୍ରରେ ଏହାକୁ ‘ମଞ୍ଚସ୍ନାନ’ ବୋଲି ମଧ୍ୟ ଉଲ୍ଲେଖ ରହିଛି। ଜ୍ୟେଷ୍ଠମାସ ପୂର୍ଣ୍ଣିମାଠାରୁ ମହାପ୍ରଭୃଙ୍କର ପ୍ରଥମ ସ୍ଥାନଲୀଲା ଆରମ୍ଭ ହୋଇଥିଲା। ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ସେଥିପାଇଁ ଏହି ଲୀଳାକୁ ପତିତପାବନ ଲୀଳା ବୋଲି କୁହାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ।

