ବାଙ୍କାଚୁଡା ରୂପରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ : ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଆଜି ଗରୁଡ ଦ୍ୱାଦଶୀ । ମହାପ୍ରଭୁ ଭକ୍ତମାନଙ୍କୁ ବାଙ୍କାଚୁଡା ରୂପରେ ଦର୍ଶନ ଦେଇଛନ୍ତି । ଗତକାଲି ବଡ଼ ଏକାଦଶୀ ପଡିଥିବାରୁ ମନ୍ଦିର ବନ୍ଦ ରହିଥିଲା । ଆଜି ଗରୁଡ଼ ଦ୍ୱାଦଶୀରେ ମନ୍ଦିରକୁ ଭକ୍ତମାନଙ୍କୁ ଦର୍ଶନ ନିମନ୍ତେ ଅନୁମତି ମିଳିଛି । ପ୍ରଭୂଙ୍କ ଦୁର୍ଲଭ ରୂପ ଦେଖି ଭକ୍ତମାନେ ଆନନ୍ଦିତ ହୋଇଥିବାର କହିଛନ୍ତି । ତେବେ ପୁରୀରେ ବାହାରୁ ଆସିଥିବା ଭଜନ ମଣ୍ଡଳୀ ଭଜନ କିର୍ତ୍ତନ କରି ବେଢ଼ା ପରିକ୍ରମା କରିଥିଲେ । ଯାହା ଭକ୍ତମାନଙ୍କୁ ଆନନ୍ଦିତ କରିଥିଲା ।
କାର୍ତିକ ମାସର ପଚଂକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନାଧିଷ୍ଠିତ ମହାପ୍ରଭୁମାନଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତ ଦିନ ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ପ୍ରାୟ ୫ ଜଣ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି । ବାଙ୍କଚୂଡ଼ା ବେଶର ବିଶେଷତ୍ୱ ଏହିକି ଯେ, ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ ଖୋସା ପଡ଼େ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ଏଠାରେ ଏକ ଛୋଟ ସ୍ୱର୍ଣ୍ଣ କିରୀଟ ମହାପ୍ରଭୁମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ସୁବର୍ଣ୍ଣ ହସ୍ତ ପଦଯୁକ୍ତ ହୋଇଥାନ୍ତି । ଶ୍ରୀ ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳ ମୂଷଳ ଆୟୂଧ ଧାରଣ କରିଥାନ୍ତି । ଏହି ବେଶରେ ଦେବୀ ସୁଭଦ୍ରାଙ୍କର ଆଭୂଷଣ ପରିବର୍ତନ ହୁଏ ନାହିଁ । ମାତ୍ର ତାଙ୍କର ମସ୍ତକ ସୁବର୍ଣ୍ଣ କିଆରେ ଶୋଭିତ ହୋଇଥାଏ । ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ଲାଗି ହୁଏ । ଏହି ବେଶ ସ୍ନାନ ପରେ ଆରମ୍ଭ ହୋଇ ବାଳଧୂପ ସମାସ୍ତ ହେବା ପର୍ଯ୍ୟନ୍ତ ରହେ ।
