ଅଜଣା ରୋଗରେ ଯାଉଛି ଗାଈ ବାଛୁରୀଙ୍କ ଜୀବନ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ଅଂଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗାଈ ବାଛୁରି ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଟି ଗାଈବାଛୁରୀଙ୍କ ମୃତ୍ୟୁ ଘଟିଛି । ପ୍ରାଣୀଧନ ଚିକିତ୍ସା କର୍ମୀଙ୍କ ଅବହେଳା ଯୋଗୁ ଆବଶ୍ୟକ ଚିକିତ୍ସା ଅଭାବରୁ ଅଜଣା ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି । ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ, ବେଗୁନିଆପଡ଼ା, ଫାଶୀ, ସୁମଣ୍ଡଳ, ଅଗାଁର ଗାଁ ଆଦି ବିଭିନ୍ନ ପଂଚାୟତ ଅଂଚଳରେ ୨ ଶହରୁ ଊର୍ଦ୍ଧ୍ୱ ଗାଈ ବାଛୁରି ଗତ କିଛି ଦିନ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗାଈ ଗୋରୁମାନଙ୍କ ପ୍ରଥମେ ଚର୍ମ ଓ ଦେହସାରା ଗୁଳା ହୋଇ ଫୋଟକା ହୋଇଯାଉଛି । ଏବଂ ତାପରେ ଫୋଟକା ଫାଟି ରକ୍ତସ୍ରାବ ହେବା ସହିତ ଜୀବାଣୁ ଲାଗୁଛନ୍ତି । ଏବଂ ପରେ ପରେ ମୃତ୍ୟୁ ମୁଖରେ ପଡୁଛନ୍ତି ଗାଈ ଗୋରୁ । ବ୍ଲକର ବିଭିନ୍ନ ପଂଚାୟତରୁ ଶହ ଶହ ସଂଖ୍ଯାରେ ଏଭଳି ଅଭିଯୋଗ ଆସୁଛି । ତେବେ ଉପଯୁକ୍ତ ଚିକିତ୍ସା ଅଭାବରୁ ତଥା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁ ଏହି ରୋଗର ନିରାକରଣ ହୋଇ ପାରୁନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଆଜି ଏନେଇ ଅଭିଯୋଗ ପରେ ଏକ ଡାକ୍ତରୀ ଟିମ ଖଣ୍ଡିଆନଈ ଗ୍ରାମରେ ପହଂଚି ସ୍ଥିତି ଉପରେ ଅନୁଧ୍ୟାନ କରି ଆବଶ୍ୟକ ଚିକିତ୍ସା କରିଥିଲେ । ଲୋକଙ୍କୁ ବିବ୍ରତ ନହୋଇ ଗୁହାଳ ପରିଷ୍କାର ରଖିବା ସହ ଆଲବେରା, ହଳଦୀ ଗାଈ ମାନଙ୍କ ଶରୀରରେ ଲେପନ କରିବାକୁ ପରାମର୍ଶ ଦେଇଛନ୍ତି ବ୍ଲକ ଭେଟେନାରୀ ଅଫିସର ଭବାନୀ ତ୍ରିପାଠୀ । ଅନ୍ୟପଟେ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳୁନି । ନିଜ ଖର୍ଚ୍ଚରେ ଚିକିତ୍ସା କରୁଛନ୍ତି ଲୋକେ । ହଜାର ହଜାର ଟଙ୍କା ଗରିବ ଲୋକେ ଖର୍ଚ୍ଚ କରି ଖର୍ଚ୍ଚାନ୍ତ ହେଉଥିବା କହିଛନ୍ତି । ସେପଟେ ଏନେଇ ଭ୍ଯାକସିନ୍ ମଗା ଯାଇଛି । ଆସନ୍ତା କାଲି ଠାରୁ ଭ୍ଯାକସିନ୍ ଦିଆଯିବ ବୋଲି ବ୍ଲକ ଭେଟେନାରୀ ଅଫିସର କହିଛନ୍ତି । ତେବେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।
