୫ ଦଫା ଦାବିରେ କଳାହାଣ୍ଡି ସମବାୟ କର୍ମଚାରୀଙ୍କ କଳାବ୍ୟାଚ୍ ପିନ୍ଧି ଧାରଣା
ଭବାନୀପାଟଣା: ୫ଦଫା ଦାବିରେ ସମବାୟ ସମିତି ଓ ଲ୍ୟାମ୍ପ୍ସରେ କାର୍ଯ୍ୟରତ କର୍ମଚାରୀଙ୍କ କଳାବ୍ୟାଚ୍ ପିନ୍ଧି ଧାରଣା । ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତି ପ୍ରସ୍ତାବ ରଦ୍ଦ କରିବା, ଓଡ଼ିଶାର ୨,୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ୍ସର କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବା, ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ ସହ ସମିତି ଓ ଲ୍ୟାମ୍ପ୍ସର ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ କରିବା ଓ କୋଭିଡରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ କ୍ଷତିପୂରଣ ଦେବା ଆଦି ଦାବିରେ ଆଜି କଳାହାଣ୍ଡି ଉପନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କଳାହାଣ୍ଡି ଓ ନୂଆପଡାର ପ୍ୟାକ୍ସ ଓ ଲ୍ୟାମ୍ପ୍ସ କର୍ମଚାରୀ ।
ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ସମବାୟ ସମିତି ନିବନ୍ଧକଙ୍କୁ ଦାବି ସଂପର୍କରେ ଅବଗତ କରାଯାଇଛି । ମାତ୍ର ଦାବି ଗୁଡିକ ପୂରଣ ହେଉନଥିବାରୁ ସମବାୟ ସମିତି ଓ ଲ୍ୟାମ୍ପ୍ସ କର୍ମଚାରୀମାନେ ଧାରଣା ସହ କଳାବ୍ୟାଚ୍ ପରିଧାନ କରିଛନ୍ତି । ଦାବି ପୂରଣ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।
