ଦୋଷୀ ନିଶ୍ଚିନ୍ତ ଦଣ୍ଡ ପାଇବ : ବିଜେଡି
ଭୁବନେଶ୍ୱର : ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ନେଇ ବିରୋଧୀ ଦଳ ଦାବି କରିଛନ୍ତି। ଏହା ଉପରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯଦି ମମିତାଙ୍କ ହତ୍ୟା ପଛରେ ମନ୍ତ୍ରୀଙ୍କର ହାତ ଥିବ, ତାହେଲେ ତାଙ୍କୁ ନିଶ୍ଚୟ ଦଣ୍ଡିତ କରାଯିବ। ପ୍ରମିଳା ମଲ୍ଲିକ କହିଛନ୍ତି, ମମିତାଙ୍କ ମୃତ୍ୟୁ ଆମ ସମାଜ ପାଇଁ ବଡ଼ କ୍ଷତି । ତାଙ୍କ ମୃତ୍ୟୁରେ ଆମେ ମର୍ମାହତ । ଏଭଳି ଏକ ଦୁଃଖ ସମୟରେ ଆମେ ତାଙ୍କ ପରବାରକୁ ସମବେଦନା ଜଣାଉଛୁ । ଘଟଣାରେ ଯେଉଁମାନଙ୍କର ସଂପୃକ୍ତି ରହିଛି, ସେ ସମସ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ । ଏନଆଇଏରେ କାମ କରୁଥିବା ଜଣେ ଦକ୍ଷ ପୁଲିସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ଏହି କାମରେ ଲିପ୍ତ ଥିବେ, ପୁଲିସ୍ ଅଫିସର ସେମାନଙ୍କୁ ନିଶ୍ଚୟ ଧରିବେ ଏବଂ ପୀଡ଼ିତା ଓ ତାଙ୍କ ପରିବାର ନିଶ୍ଚିତ ଭାବେ ନ୍ୟାୟ ପାଇବେ।
ସେ ଆହୁରି କହିଛନ୍ତି ଯେ ସମସ୍ତ ଦଳର ବହୁ ରାଜନୈତିକ ନେତା ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ସଂସ୍ଥାରେ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ସେହି ଅନୁଷ୍ଠାନର ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କୌଣସି ଭୁଲ୍କୁ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେଉଥିବା ବ୍ୟକ୍ତିଙ୍କ ସହିତ ଯୋଡାଯାଇ ପାରିବନାହିଁ । ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ । କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପି ନେତାଙ୍କ ବହୁ ଫଟୋ ଓଡିଶାରେ ଅନେକ ଅପରାଧିକ ମାମଲାରେ ଜଡିତ ଅଭିଯୁକ୍ତଙ୍କ ସହିତ ରହିଛି । ମୋହନ ମାଝିଙ୍କ ଆକ୍ରମଣକାରୀମାନେ ମଧ୍ୟ ଫଟୋରେ କେନ୍ଦ୍ର ମନ୍ତ୍ରୀ ଓ ଶ୍ରୀ ମାଝିଙ୍କ ସହିତ ଥିବା ଦେଖିବାକୁ ମିଳୁଛି । ଆମେ କହୁ ନାହୁଁ ଯେ କେନ୍ଦ୍ରୀୟ ମନ୍ତ୍ରୀମାନେ ସେହି ମାମଲା ସହ ଜଡିତ, ଏ ବିଷୟରେ ରାଜନୀତି କରିବାକୁ ଦିଅନ୍ତୁ ନାହିଁ ।
