ଦିଲ୍ଲୀରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ମୁମ୍ବାଇ ପରେ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ତାଞ୍ଜାନିଆରୁ ଫେରିଥିବା ଜଣାପଡିଛି । ଜଣେ ଯୁବକଙ୍କ ଠାରେ ଓମିକ୍ରନ୍ ଭୂତାଣୁ ଥିବା ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ଯୁବକଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ସୂଚନା ଦେଇଛନ୍ତି ।
ଯୁବକ ଜଣଙ୍କ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୨ ସନ୍ଦିଗ୍ଧ ବିଦେଶ ଫେରନ୍ତାଙ୍କୁ ଠାରେ କୋରୋନା ସାମାନ୍ୟ ଲକ୍ଷଣ ଚିହ୍ନଟ ହୋଇଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଯେଉଁଥିରୁ ଜଣଙ୍କ ଠାରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏପର୍ଯ୍ୟନ୍ତ ୧୭ ଜଣ ପଜିଟିଭ ରୋଗୀ ଏଲଏନଜେପିରେ ଭର୍ତ୍ତି ହୋଇଥିବା କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଏହାକୁ ମିଶାଇ ଦେଶରେ ମୋଟ ୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛନ୍ତି ।
ଏହାପୂର୍ବରୁ କର୍ଣ୍ଣାଟକରୁ ୨, ଗୁଜରାଟରୁ ଜଣେ, ମୁମ୍ବାଇରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ରୋଗୀଙ୍କ ବୟସ ୬୬ ଏବଂ ୪୬ ବର୍ଷ ରହିଛି। ଉଭୟଙ୍କ ସାମାନ୍ୟ ଲକ୍ଷଣ ରହିଛି । ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ହୋଇଥିବାବେଳେ ଅନ୍ୟ ଜଣଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ରହିନାହିଁ । ସେହିପରି ଗୁଜୁରାଟରେ ମଧ୍ୟ ୭୨ ବର୍ଷ ବୟସ୍କ ରୋଗୀଙ୍କ ଠାରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ଏହି ରୋଗୀ ଜିମ୍ବାୱେରୁ ଫେରିଥିଲେ | ଏଥିସହିତ ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଏବଂ ଦୁବାଇ ଦେଇ ଆସିଥିବା ଜଣେ ବ୍ୟକ୍ତି ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
