ସମ୍ପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ବୈଠକ : ରାଜ୍ୟମାନଙ୍କ ପାଇଁ ୨୩,୧୨୩ କୋଟି ଅନୁଦାନ ପ୍ରଦାନ
- ଚାଷୀଙ୍କ ସହାୟତା ପାଇଁ ୧ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ଓ ଅଦଳବଦଳ ପରେ ଗୁରୁବାର ନବନିଯୁକ୍ତ ମନ୍ତ୍ରୀମାନେ ନିଜ ମନ୍ତ୍ରଣାଳୟରେ ପହଂଚି ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ସେମାନେ ନୂଆ ମନ୍ତ୍ରାଳୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଟିମ୍ର ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବଡ଼ ନିଷ୍ପତି ନେଇଛନ୍ତି । ରାଜ୍ୟମାନଙ୍କ ପାଇଁ କୋଭିଡ୍ ପାଣ୍ଠି ଅନୁଦାନ ପ୍ରଦାନ କରାଯିବ । ୨୩,୧୨୩ କୋଟିର କୋଭିଡ୍ ପାଣ୍ଠି ଅନୁଦାନ ପ୍ରଦାନ ପାଇଁ ବୈଠକରେ ନିଷ୍ପତି ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । ସେହିପରି ଚାଷୀଙ୍କ ସହାତୟା ପାଇଁ ୧ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ ହୋଇଛି । ମଣ୍ଡି ଭିତିଭୂମି ସୁଦୃଢ଼ କରିବାକୁ ୧ଲକ୍ଷ କୋଟି ମଞ୍ଜୁର ହୋଇଛି ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି ।
କରୋନା ଲଢେଇ ପାଇଁ ୨୩,୦୦୦ କୋଟି ଟଙ୍କାର ପ୍ୟାକେଜ ଅନୁମୋଦିତ ହୋଇଛି । ଏନେଇ ନୂଆ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, “କରୋନା ସହ ଲଢ଼ିବା ପାଇଁ କେନ୍ଦ୍ର ସରକାର ପ୍ରଥମେ ୧୫,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏହି ପ୍ୟାକେଜରୁ କିଛି ଟଙ୍କା ୮,୩୩୮ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ବ୍ୟବହୃତ ହୋଇଥିଲା। ଏବେ କରୋନାର ଦ୍ୱିତୀୟ ଲହରରେ ଘଟିଥିବା ସମସ୍ୟାର ମୁକାବିଲା ପାଇଁ ୨୩,୦୦୦ କୋଟି ଟଙ୍କା ପ୍ୟାକେଜ୍ ଦିଆଯିବ | ୮,୦୦୦ କୋଟି ରାଜ୍ୟରୁ ଆସିବ ଏବଂ କେନ୍ଦ୍ରରୁ ୧୫,୦୦୦ କୋଟି ଆସିବ ବୋଲି ମନସୁଖ ମାଣ୍ଡଭିୟ କହିଛନ୍ତି । ବୈଠକ ଶେଷ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, ଦେଶରେ କୃଷକ ମାନଙ୍କୁ ମଜବୁତ କରିବାକୁ ହେଲେ ପ୍ରଥମେ ମଣ୍ଡିଗୁଡିକୁ ମଜବୁତ କରିବାର ଆବଶ୍ୟକତା ରହିଛି । ଏହି କ୍ରମରେ ସରକାର ମଣ୍ଡି ମାଧ୍ୟମରେ କୃଷକଙ୍କ ନିକଟରେ ୧ ଲକ୍ଷ କୋଟି ଟଙ୍କା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି କି, ଏପିଏମସି ମଣ୍ଡିଗୁଡିକୁ ସରକାର ମଜବୁତ କରୁଛନ୍ତି । କୃଷି ମଣ୍ଡିର ବିକାଶ ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ବିନିଯୋଗ କରୁଛନ୍ତି । ଏହାସହ ନୂଆ କୃଷି ଆଇନ ବଳରେ ସରକାର ମଣ୍ଡି ବ୍ୟବସ୍ଥାକୁ ଉଠାଇ ଦେବେ ବୋଲି କିଛି କୃଷକ ସଂଗଠନ କରୁଥିବା ପ୍ରଚାରକୁ ଖଣ୍ଡନ କରିଛନ୍ତି କୃଷିମନ୍ତ୍ରୀ । ସେ କହିଛନ୍ତି କି କୌଣସି ପରିସ୍ଥିତିରେ ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ ।
