ଦିଲ୍ଲୀ ଏମ୍ସ ହସ୍ପିଟାଲର ନବମ ମହଲାରେ ଅଗ୍ନିକାଣ୍ଡ
- ଫାୟାର ବିଗ୍ରେଡର ୨୨ଟି ଗାଡ଼ିର ସହଯୋଗରେ ନିଆଁକୁ ନିୟନ୍ତ୍ରଣ
ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ । ବୁଧବାର ରାତିରେ ହସ୍ପିଟାଲର ୯ମ ମହଲାରେ ନିଆଁ ଲାଗିଥିଲା । ଲ୍ୟାବରେ ନିଆଁ ଲାଗିବା ପରେ ଧୂଆଁ ବାହାରିଥିଲା । ଖବର ପାଇ ପୋଲିସ ଓ ଦମକଳ ବାହିନୀର ଟିମ ଘଟଣାସ୍ଥଳରେ ପହଂଚିଥିଲେ । ଫାୟାର ବିଗ୍ରେଡର ୨୨ଟି ଗାଡ଼ିର ସହଯୋଗରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ତେବେ ଯେଉଁ ଫ୍ଲୋରରେ ନିଆଁ ଲାଗିଥିଲା, ସେଠାରେ କୌଣସି ୱାର୍ଡ ନଥିଲା । ତେଣୁ କୌଣସି ମୃତାହତ ହେବାର ସୂଚନା ମିଳିନାହିଁ ।
କନ୍ୱର୍ଜନ ବ୍ଲକର ୯ମ ମହଲାରେ ନିଆଁ ଲାଗିଥିଲା । କୁହାଯାଉଛି ଯେ, ସେଠାରେ ରୋଗୀ ନାହାନ୍ତି । ଏହି ମହଲାରେ ଲ୍ୟାବ ଓ ଅନ୍ୟ କାର୍ଯ୍ୟାଳୟ ପାଇଁ କାମ ଚାଲିଛି । ଏଠାରେ ସେଭଳି ୱାର୍ଡ ନଥିଲା, ଯେଉଁଠାରେ କି ରୋଗୀଙ୍କୁ ଭର୍ତ୍ତି କରାଯାଇଥାଏ । ଦିଲ୍ଲୀ ଦମକଳ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ଘଟଣାରେ କୌଣସି ମୃତାହତ ହେବାର ସୂଚନା ନାହିଁ । ଦମକଳ ବାହିନୀର କହିବାନୁସାରେ, ରାତି ୧୦ଟା ୩୦ରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ୨୨ଟି ଦମକଳ ବାହିନୀ ପଠାଯାଇଥିଲା । ଏହାପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ନେଇ ଦମକଳ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେସୁଦ୍ଧା ଅସ୍ପଷ୍ଟ ରହିଛି ।



