ଚନ୍ଦକା ଅଭୟାରଣ୍ୟର ହାତୀଙ୍କ ଠାରେ ଲାଗିବ ରେଡିଓ କୋଲାରିଙ୍ଗ
ଭୁବନେଶ୍ୱର : ଚନ୍ଦକା ଅଭୟାରଣ୍ୟର ହାତୀଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ରେଡିଓ କୋଲାରିଙ୍ଗ ମେସିନ ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ଏହା ପ୍ରଥମ ଥର ପାଇଁ ହାତୀଙ୍କ କ୍ଷେତ୍ରରେ ଲଗାଯିବ। ଫଳରେ ସେମାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ସେମାନଙ୍କୁ ଠାବ କରାଯାଇପାରିବ।
ବେଙ୍ଗାଲୁରୁ ସ୍ଥିତ ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ସହାୟତାରେ ଚନ୍ଦକା ବନ୍ୟପ୍ରାଣୀ ବିଭାଗ ଦ୍ବାରା ଏହି କାର୍ଯ୍ୟ ସମାହିତ ହେବ। ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ଉପଦ୍ରବ କରୁଥିବା ହାତୀଙ୍କୁ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଇ ରେଡିଓ କୋଲାରିଙ୍ଗ ଲଗାଯିବ। ଫଳରେ ହାତୀ ଉତ୍ପାତକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଦୀର୍ଘଦିନ ଧରି ଚନ୍ଦକା ଅଭୟାରଣ୍ୟ ନିକଟସ୍ଥ ଗ୍ରାମଗୁଡ଼ିକରେ ହାତୀଗୁଡ଼ିକ ଲଗାତର ସାଧାରଣ ଲୋକଙ୍କ ଫସଲ ନଷ୍ଟ କରିବା ସହ ଅନେକ କ୍ଷତି କରୁଛନ୍ତି। ପରବର୍ତ୍ତୀ ପରିସ୍ଥିତିରେ ଏହାକୁ ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ।
