ବାଲେଶ୍ୱର : ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ
ବାଲେଶ୍ୱର : ତୃତୀୟ ଶ୍ରୀକ୍ଷେତ୍ର ନାମରେ ପରିଚିତ ହେଉଥିବା ବାଲେଶ୍ୱର ଜିଲା ନୀଳଗିରିରେ ଚଳିତବର୍ଷ ସୁରୁଖୁରରେ ସମ୍ପନ୍ନ ହେଲା ଦେବସ୍ନାନ ପୂର୍ଣ୍ଣିମା । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଭକ୍ତ ଓ ଭଗବାନ ମଧ୍ୟରେ ପ୍ରାଚୀର ହୋଇ ଠିଆହୋଇଥିଲା କରୋନା । ସୀମିତ ସେବାୟତଙ୍କ ଦ୍ୱାରା ଅନୁଷ୍ଠିତ ହେଲା ସ୍ନାନଯାତ୍ରା ।
ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଅନୁସାରେ ଗୁରୁବାର ଭୋରରୁ ଆରମ୍ଭ ହୋଇଥିଲା ସ୍ନାନ ମଣ୍ଡପ ପହଣ୍ଡିବିଜେ । ଏହି ଅବସରରେ ସକାଳେ ସେନା ପଟ ଲାଗି, ଡୋରଲାଗି, ମଙ୍ଗଳ ଅର୍ପଣ, ରାଜନୀତି ବନ୍ଦାପନା, ପୁଷ୍ପାଞ୍ଜଳି, ଧାଡ଼ି ପହଣ୍ଡି, ଛେରାପହଁରା, ମଙ୍ଗଳା ଆଳତି, ଅବକାସ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ରୋଷ ହୋମ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରୁ ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ ଛେରା ପହଁରା କରିବା ପରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିଜେ ହୋଇଥିଲେ । ସେବାୟତମାନେ ୧୦୮ କଳସରେ ମହାସ୍ନାନ କରାଇଥିଲେ । ସେହିଭଳି ସକାଳ ଧୂପ, ଗଜାନନ ବେଶ, ସନ୍ଧ୍ୟା ଆଳତୀ ମଧ୍ୟ ହୋଇଥିଲା । ପରେ ସ୍ନାନ ମଣ୍ଡପରୁ ୩ ଠାକୁର ବଡ଼ ଦେଉଳକୁ ପ୍ରବେଶ କରି ୧୪ଦିନ ପାଇଁ ଅଣସରରେ ରହିବେ । ଏହି ଦେବସ୍ନାନ ପୂର୍ଣ୍ଣିମାରେ ସେବାୟତ ବ୍ରହ୍ମା ସରୋଜ କୁମାର ନନ୍ଦ, ପୂଣ୍ୟଶ୍ଳୋକ ନନ୍ଦ, ପ୍ରହରାଜ ହରନାରାୟଣ ନନ୍ଦ, ରବୀନ୍ଦ୍ର କୁମାର ମହାପାତ୍ର, ବିରେଶ ଶତପଥି, ଯୋଗେନ୍ଦ୍ର ନାରାୟଣ ମିଶ୍ର, ପୃଥୀନାଥ ଆଚାର୍ଯ୍ୟ, ଠାକୁର ମାହାଲ କର୍ମଚାରୀ ରମେଶ ଦାସ, ନିରଞ୍ଜନ ମହାପାତ୍ର ପ୍ରଭୃତି ସହଯୋଗ କରିଥିଲେ । ସ୍ନାନଯାତ୍ରା ସମୟରେ ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ, ପୋଲିସ ବାହିନୀ ନୀଳଗିରିର ପ୍ରଶାସକ ବୃନ୍ଦ ଉପସ୍ଥିତ ଥିଲେ ।
