ପାଠପଢ଼ା ସମୟ ନିର୍ଦ୍ଧାରଣ କଲା ଗଣଶିକ୍ଷା ବିଭାଗ
୧୦ଟାରୁ ୧ଟା ପ୍ରଥମରୁ ଅଷ୍ଟମ ଓ ୧୦ରୁ ୪ଟା ପର୍ଯ୍ୟନ୍ତ ପଢ଼ିବେ ନବମରୁ ଦ୍ୱାଦଶ ପିଲା
ଭୁବନେଶ୍ୱର : ସୋମବାରରୁ ପୁଣି ବାଜିବ ସ୍କୁଲ ଘଂଟି । କୋଳାହଳରେ କମ୍ପିବ କ୍ୟାମ୍ପସ୍ । ଅଫଲାଇନ୍ ପୁଣି ଆରମ୍ଭ ହେବ ପାଠପଢା । ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଧରି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ତା’ପରେ ଫେବ୍ରୁଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବ । ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍ ଗୁଡ଼ିକ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୟ ନିର୍ଘଂଟ କରାଯାଇଛି ।
ଗୁରୁବାର ସ୍କୁଲ,କଲେଜ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଶୁକ୍ରବାର ପାଠପଢା ସମୟ ସ୍ଥିର କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସ୍ଥିର କରାଯାଇଥିବା ସମୟ ଅନୁସାରେ ଦିନ ୧୦ଟାରୁ ୧ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀର କ୍ଲାସ ହେବ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ୍ ୧୦ଟାରୁ ୪ଟା ପର୍ଯ୍ୟନ୍ତ ହେବ । ସେହିପରି ଯୁକ୍ତ ଦୁଇର ଉଭୟ ବର୍ଷର ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ୧୦ଟାରୁ ୪ଟା ପର୍ଯ୍ୟନ୍ତ ହେବ । ଏଥି ସହିତ ବର୍ତମାନ ସ୍କୁଲରେ ମଧ୍ୟାନ୍ନ ଭୋଜନ ଦିଆଯିବ ନାହିଁ । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ଶୁଖିଲା ଖାଦ୍ୟ ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଏହା ସହିତ ଶିକ୍ଷାନୁଷ୍ଠାନର ହଷ୍ଟେଲ ଫେବ୍ରୁଆରୀ ୬ରୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯେ, କରୋନା ତୃତୀୟ ଲହର ପାଇଁ ବନ୍ଦ ଥିଲା ପିଲାଙ୍କ ପାଠପଢ଼ା । ହେଲେ ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ଊର୍ଦ୍ଧ୍ୱ ସମସ୍ତ ଶ୍ରେଣୀରେ ଆରମ୍ଭ ହେବ ପାଠପଢା । ସେହିଭଳି ୧୪ରୁ କେଜିରୁ ନେଇ ସପ୍ତମ ଯାଏ କ୍ଲାସ୍ ଖୋଲିବ । ତେବେ ଦୀର୍ଘ ଦିନ ପରେ ପୁଣି ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମହଲରେ ଖୁସି ପ୍ରକାଶ ପାଇଛି । ସେପଟେ ସମସ୍ତ କ୍ଲାସ୍ ପ୍ରମୋସନ୍ ପରୀକ୍ଷା ସମେତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବାକୁ ମଧ୍ୟ ନିଷ୍ପତି ଶୁଣାଇଛନ୍ତି ସରକାର । ସେପଟେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରସ୍ତୁତ ନଥିବାରୁ ପରୀକ୍ଷାକୁ ଆଉ ଏକମାସ ଘୁଂଚାଇ ଦେବାକୁ ମତ ରଖିଛନ୍ତି ଶିକ୍ଷାବିତ । ତେବେ ଅବସ୍ଥା ଦେଖି ପରୀକ୍ଷା କରିବାକୁ ବୋର୍ଡ ନିଷ୍ପତି ନେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅନ୍ୟପଟେ ବିଦ୍ୟାଳୟରେ ପିଲାଙ୍କ ସୁରକ୍ଷା ପାଇଁ ଖୁବ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଗାଇଡ଼ଲାଇନ ଜାରି କରିବ ।
