ପୋଖରୀରୁ ଛାତ୍ରୀଙ୍କ ଶବ ଉଦ୍ଧାର ଘଟଣା ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡି ଛାତ୍ରୀଙ୍କ ମୃତ୍ୟୁ
ଯାଜପୁର : ପୋଖରୀ ଭିତରୁ ଟ୍ୟୁସନ ଯାଇଥିବା ବିଞ୍ଝାରପୁର ଥାନା ବରୀକୂଳ ଗ୍ରାମର ଅମୂଲ୍ୟ ଦାସ ଓ ସୁପ୍ରିୟା ଦାସଙ୍କ ବଡ ଝିଅ ଅମ୍ରିତା ଦାସର (୧୪) ମୃତ ଦେହ ଉଦ୍ଧାର ଘଟଣାର ୮ଦିନ ପରେ ପୁଲିସ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଥିବା ଜଣାଯାଇଛି । ରିପୋର୍ଟରେ ପାଣିରେ ବୁଡିଯିବା ଯୋଗୁ ଅମ୍ରିତାର ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ମାତ୍ର ଅମ୍ରିତାକୁ କେହି ବଳପୂର୍ବକ ପାଣିରେ ବୁଡାଇ ହତ୍ୟା କରିଛି କିମ୍ବା ଅମ୍ରିତା କୌଣସି କାରଣରୁ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ଏହା ଜାଣିବା ପାଇଁ ପୁଲିସ୍ ଭିସେରା ରିପୋର୍ଟକୁ ଅପେକ୍ଷା କରିଥିବା କୁହାଯାଇଛି । ଅପରପକ୍ଷେ ଅମ୍ରିତାଙ୍କ ମାଆ ସୁପ୍ରିୟା ନିଜ ପ୍ରତିକ୍ରିୟାରେ ତାଙ୍କ ପରିବାରକୁ ପୁଲିସ୍ ଏପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ । କିଛି ଅସମର୍ଥିତ ସୂତ୍ରରୁ ସେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ୍ଥର ହସ୍ତଗତ ହୋଇଥିବା ସୂଚନା ପାଇବା ସହିତ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟଭାବେ ଉଲ୍ଲେଖ ନଥିବା ହେତୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି କୌଣସି କାରଣ ନଥିବା ବେଳେ ଅମ୍ରିତା ପୋଖରୀ ପାଣିରେ ବୁଡିଯିବା ହାସ୍ୟାସ୍ପଦ ବୋଲି ସୁପ୍ରିୟା ପ୍ରକାଶ କରିଛନ୍ତି । ଅମିତ୍ରାଙ୍କୁ କମେଣ୍ଟ ମାରିଥିବା ଆସାମାଜିକ ଯୁବକହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ସୁପ୍ରିୟା ପୁଣି ଥରେ ଦାବି କରିଛନ୍ତି । ତଦନ୍ତରୁ ହତ୍ୟାଭଳି ସଂଗୀତ ଅଭିଯୋଗକୁ ପୁଲିସ୍ ହାଲ୍କା ଭାବେ ଗ୍ରହଣ କରିଥିବା କହିଛନ୍ତି । କେଉଁ କାରଣରୁ ପୁଲିସ୍ ସିସିଟିଭି ଫୁଟେଜ୍କୁ ସାର୍ବଜନୀନ କରୁନଥିବା ସୁପ୍ରିୟା ଅଭିଯୋଗ କରିବା ସହିତ ତୁରନ୍ତ ନନ୍ଦିପୁର ବଜାରର ସିସିଟିଭିି ଚିତ୍ରକୁ ସାର୍ବଜନିନ କରିବା ପାଇଁ ଦାବି କରିଛନ୍ତି । ଅପରପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ମଙ୍ଗଳପୁର ଥାନାଧିକାରିଣୀ ରୀନାରାଣୀ ସାହୁଙ୍କ ପାଖରେ କୌଣସି ସୂଚନା ନଥିବା କହିବା ସହିତ ଏହି ହତ୍ୟା ମାମଲା ଏବେ ତାଙ୍କ ଅଧିନରେ ନଥିବା କହିଛନ୍ତି ।
