ଦେଶର ପ୍ରଥମ ସ୍ୱବିବାହ ! ବିନା ବରରେ ବାହା ହେଲେ କ୍ଷମା ବିନ୍ଦୁ
ଗୁଜରାଟ : ନିଜକୁ ନିଜେ ବିବାହ କଲେ ଗୁଜୁରାଟର କ୍ଷମା ବିନ୍ଦୁ । ନିର୍ଦ୍ଧାରିତ ଦିନର ପୂର୍ବରୁ ସେ ବିବାହ କରିଛନ୍ତି । ବିବାହ ରୀତିନୀତି ସହିତ ମେହେନ୍ଦି ଏବଂ ହଳଦୀ ହୋଇଥିଲା । ସମଗ୍ର ଭାରତରେ ଏହା ପ୍ରଥମ ସୋଲୋଗାମି ବିବାହ ।

ଗୁଜରାଟର ୨୪ବର୍ଷୀୟ କ୍ଷମା ବିନ୍ଦୁଙ୍କ ସ୍ୱବିବାହ ଘୋଷଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆସନ୍ତା ୧୧ ତାରିଖରେ ସ୍ୱବିବାହ କରିବେ ବୋଲି କ୍ଷମା ଘୋଷଣା କରିଥିଲେ। ମାତ୍ର ବିବାଦ ସୃଷ୍ଟି ହେବାରୁ ସେ ଧାର୍ୟ୍ୟ ତାରିଖର କିଛି ଦିନ ପୂର୍ବରୁ ବିବାହ କରିଛନ୍ତି । ବିଜେପି ନେତ୍ରୀ ସୁନିତା ଶୁକ୍ଲା କହିଥିଲେ “ଏଭଳି ବିବାହ ହିନ୍ଦୁ ଧର୍ମର ବିରୁଦ୍ଧାଚରଣ କରୁଛି । ଅନ୍ୟମାନେ କ୍ଷମା ବିନ୍ଦୁଙ୍କ ପନ୍ଥା ଆପଣେଇଲେ ହିନ୍ଦୁମାନଙ୍କର ଜନସଂଖ୍ୟା ହ୍ରାସ ପାଇବ। ଯଦି ଧର୍ମ ବିରୁଦ୍ଧରେ କିଛି ଯାଏ ତେବେ କୌଣସି ଆଇନ କାମ ହେବ ନାହିଁ ବୋଲି କହିଛନ୍ତି ।
କେବଳ ଏତିକି ନୁହେଁ ଭାରତର କୌଣସି ମନ୍ଦିରରେ ଏହିପରି ବିବାହ କରିବାକୁ ଦିଆଯିବ ନାହିଁ । ବିନ୍ଦୁଙ୍କୁ ମାନସିକ ସ୍ତରରେ ଆଘାତ କହିବା ସହ ହିନ୍ଦୁ ସଂସ୍କୃତିର କୌଣସି ସ୍ଥାନରେ ଲେଖା ନାହିଁ ଯେ ଜଣେ ପୁଅ ପୁଅକୁ ବିବାହ କରିପାରିବ, କିମ୍ବା ଗୋଟିଏ ଝିଅ ଝିଅକୁ ବିବାହ କରିପାରିବ। ଆଇନ ବିଶେଷଜ୍ଞମାନେ ମତ ରଖିଥିଲେ ଯେ ଭାରତରେ ସୋଲୋଗାମିର କୌଣସି ଆଇନଗତ ସମର୍ଥନ ନାହିଁ। “ଭାରତୀୟ ନିୟମ ଅନୁଯାୟୀ, ଆପଣ ନିଜକୁ ନିଜେ ବିବାହ କରିପାରିବେ ନାହିଁ। ଏକ ବିବାହରେ ଦୁଇଜଣ ବ୍ୟକ୍ତି ରହିବା ଆବଶ୍ୟକ । ସୋଲୋଗାମି ଆଇନଗତ ନୁହେଁ ବୋଲି ହାଇକୋର୍ଟର ବରିଷ୍ଠ ଓକିଲ କୃଷ୍ଣକାନ୍ତ ଭାଖରିଆ ଗଣମାଧ୍ୟମରେ ମତ ରଖିଥିଲେ ।

ଏହି ସମସ୍ତ ବିବାଦରୁ ନିଜକୁ ଦୂରେଇ ରଖିବା ପାଇ ଏବଂ ନିଜ ସ୍ୱବିବାହ ନିଷ୍ପତିକୁ ସଫଳ କରିବା ପାଇଁ କ୍ଷମା ବିନ୍ଦୁ ଧାର୍ୟ୍ୟ ତାରିଖ ପୂର୍ବରୁ ବିବାହ କରିଛନ୍ତି ବୋଲି କହିଛନ୍ତି । ବିବାହ ପରେ ସେ ଏକ ଭିଡିଓ ବାର୍ତ୍ତାରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସମର୍ଥନ ଏବଂ ଉତ୍ସାହ ପାଇଁ ସେ କୃତଜ୍ଞ ବୋଲି କହିଛନ୍ତି । ସେ ଫେସବୁକରେ କହିଛନ୍ତି, “ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ମେସେଜ କରିଛନ୍ତି ଏବଂ ମୋତେ ଅଭିନନ୍ଦନ ଜଣାଇଛନ୍ତି ଏବଂ ମୁଁ ଯାହା ନିଷ୍ପତି ନେଇଥିଲି ତାହାକୁ ସଫଳ କରିବାକୁ ମୋତେ ଶକ୍ତି ଦେଇଥିବାରୁ । “ଆତ୍ମ-ବିବାହ ହେଉଛି ନିଜକୁ ନିଜେ ଭଲ ପାଇବା । ସର୍ତ୍ତମୂଳକ ପ୍ରେମ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ମୋର ଏହି ନିଷ୍ପତି । ଲୋକମାନେ ଭଲ ପାଉଥିବା ବ୍ୟକ୍ତିଙ୍କୁ ବିବାହ କରନ୍ତି । ମୁଁ ନିଜକୁ ଭଲ ପାଏ ତେଣୁ ଏହି ସ୍ୱବିବାହକୁ ଆପଣାଇଛି ।
