ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନଙ୍କୁ ମିଛ କହି ଭୂଆଁ ବୁଲାଉଛନ୍ତି
ଭୁବନେଶ୍ୱର : କେନ୍ଦ୍ର ଯୋଜନାକୁ ନିଜ ନାଁରେ ଘୋଷଣା କରି ସବୁବେଳେ ବାଃ ବାଃ ନେଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗତକାଲି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବିନା ସୁଧରେ ଋଣ ରାଶିର ସୀମାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଲେ ବୋଲି ଗତକାଲି ଘୋଷଣା କରିଛନ୍ତି । ଉପନିର୍ବାଚନ ପାରହେବା ଲାଗି ରାଜ୍ୟ ସରକାର ମିଶନ ଶକ୍ତିର ମା’ମାନଙ୍କୁ ମିଛ କହି ଭୂଆଁ ବୁଲାଉଛନ୍ତି । ବାସ୍ତବରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଯୋଜନା ଦେଶରେ ଚଳିତବର୍ଷ ଗତ ଏପ୍ରିଲଠାରୁ ଆରମ୍ଭ ହୋଇସାରିଛି । ଦେଶର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ରାଶିର ସୀମାକୁ ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମୁଖ୍ୟମନ୍ତ୍ରୀ କିଛି ନୂଆକଥା କହିନାହାନ୍ତି କି ନୂଆ ବ୍ୟବସ୍ଥା କରିନାହାନ୍ତି ବୋଲି ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।୨୦୧୬ରୁ କେନ୍ଦ୍ର ସରକାର ଦେଶର ୨୯ଟି ରାଜ୍ୟର ୨୫୦ଟି ଚିହ୍ନିତ ଜିଲ୍ଲାକୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନାର ସୁବିଧା ଦେଇ ଆସୁଥିଲେ ଓଡ଼ିଶାରେ୨୨ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଏହି ସୁବିଧା ପାଉଥିଲେ ଓ ଆଉ ୮ଟି ଜିଲ୍ଲାର ମହିଳା ମହିଳାଗୋଷ୍ଠୀ ଏହି ଯୋଜନାରୁ ବଂଚିତ ଥିଲେ । ତେବେ ଯଦି ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ସାହାଯ୍ୟ କରି ଋଣ ଛାଡ କରୁଛନ୍ତି ତାହାଲେ ସେତେବେଳେ ବାଦ୍ ପଡିଥିବା ବାକି ୮ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କି କି ସୁବିଧା ମୁଖ୍ୟମନ୍ତ୍ରୀ ଯୋଗାଇଛନ୍ତି ତାହାର ଉତର ରଖିବାକୁ ପ୍ରଭାତୀ ପରିଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଯଦି ଏତେ ମା ମାନଙ୍କ ପ୍ରତି ଦରଦ ଅଛି ତାହେଲେ ୫ ଲକ୍ଷ ଋଣକୁ ବୃଦ୍ଧି କରି ୧୦ ଲକ୍ଷ ପର୍ଯ୍ୟନ୍ତ କରନ୍ତୁ ବୋଲି ଶ୍ରୀମତୀ ପରିଡା ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାର ସାରା ଦେଶରେ ଯେତେ ଏସଏଚଜି ଅଛନ୍ତି ସେମାନଙ୍କୁ ମିଳୁଥବା ରୁଣ ଉପରେ ୭% ସୁଧକୁ ବହନ କରିଥାଆନ୍ତି । ବାକି ଯେଉଁ ୪% ରହିଲା ତାକୁ କେବଳ ରାଜ୍ୟ ସରକାର ବହନ କରିଥାଆନ୍ତି । ଯେଉଁ ଏସଏଚଜି ମାନେ ଭଲ ପ୍ରଦର୍ଶନ କରିଥାଆନ୍ତି, ସୁଧ ଠିକ ସମୟରେ ପୈଠ କରିଥାଆନ୍ତି ସେମାନଙ୍କୁ କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତୋଦୟ ଯୋଜନା – ନ୍ୟାସନାଲ ରୁରାଲ ଲାଇଭ ହୁଡ ମିଶନ ଯୋଜନାରେ ଆଉ ୩% ସୁଧ ଛାଡ କରାଯାଏ । ଏହି ଅର୍ଥ ସମ୍ପୃର୍ଣ୍ଣ ଭାବରେ କେନ୍ଦ୍ର ସରକାର ଦେଇଥାଆନ୍ତି । ଓଡ଼ିଶାର ମା, ଭଉଣୀମାନେ ଏ ମିଥ୍ୟାବାଦୀ ରାଜ୍ୟ ସରକାରଙ୍କ କଥାରେ ନଭାସିବାକୁ ଶ୍ରୀମତୀ ପରିଡା ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।
