ଟ୍ରକ୍ ପଛରେ ଧକ୍କାଦେଲା ବସ୍ : ୧୦ ଆହତ, ଜଣେ ଗୁରୁତର
ଧର୍ମଶାଳା : ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆଛକ ନିକଟରେ ଟ୍ରକ୍ ପଛରେ ଧକ୍କାଦେଲା ଘରୋଇ ବସ୍ । ଫଳରେ ବସ ରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଧର୍ମଶାଳା ପୋଲିସ ଦୁର୍ଘଟଣାଗ୍ରସ୍ତ ବସଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ମୁତାବକ, ଆଜି ଭୋର ସମୟରେ ସାଇ ଶଙ୍କର ନାମକ ଏକ ଘରୋଇ ବସ୍ ନମ୍ବର(ଓଡି୧୧ଇ୯୨୯୧) ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ୨ଟି ଟ୍ରକ୍(ଓଡି୦୧ଏଫ୍୯୦୪୦ ଓ ଓଡି୦୯ପି୦୧୫୯) ପଛପଟକୁ ଧକ୍କା ଦେଇଥିଲା । ଯାହାକି ୨ଟି ଟ୍ରକର ବିଶେଷ କ୍ଷୟକ୍ଷତି ହୋଇଥିବା ବେଳେ ବସ୍ ରେ ଥିବା ୫୦ରୁ ଉର୍ଦ୍ଧ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାର ଖବର ପାଇ ଚଣ୍ଡିଖୋଲ ଅଗ୍ନୀଶମ ବିଭାଗ ଓ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପଂହଚି ଆହତମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟୃକେନ୍ଦ୍ରକୁ ପଠାଇ ଥିଲେ । ଗୁରୁତର ଆହତଙ୍କୁ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ବସଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍ ଯୋଗେ ସେମାନଙ୍କ ଲକ୍ଷସ୍ଥଳକୁ ଯିବାର ବ୍ଯବସ୍ଥା କରାଯାଇଛି । ତେବେ ବସ୍ ଡ୍ରାଇଭରର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
