ଉଠାଦୋକାନୀ ସଂଘ ପକ୍ଷରୁ ବିଏମସି ଅଫିସ୍ ଘେରାଉ
ଭୁବନେଶ୍ୱର : ବିଶ୍ୱ ହକି କପ ଖେଳକୁ ଆଖି ଆଗରେ ରଖି ବିଏମ୍ସି ତରଫରୁ ଯେଉଁଭଳି ଭାବରେ ଉଠାଦୋକାନୀମାନଙ୍କୁ ଦୀର୍ଘ ୧୦ ଦିନ ଧରି ବେରୋଜଗାର କରିଦେଇଛି, ତାର ପ୍ରତିବାଦରେ ଏଆଇସିସିଟିୟୁ ସହ ନିବନ୍ଧିତ ଉତର ଭୁବନେଶ୍ୱର ଉଠାଦୋକାନୀ ସଂଘ ପକ୍ଷରୁ କଳ୍ପନା ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଏମ୍ସି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ୨୦୦ରୁ ଅଧିକ ଉଠାଦୋକାନୀ ଭାଗ ନେଇ ହକି ଖେଳ ନାମରେ ଆମ ପେଟକୁ ନାତ ମାରନି, ତୁରନ୍ତ ଭେଣ୍ଡିଂଜୋନ ନିର୍ମାଣ କର, ଜୀବନ ଜୀବିକା ଓ ଆମର ସାମାଜିକ ସୁରକ୍ଷା ସୁରିକ୍ଷିତ କର, ସୁପ୍ରିମକୋର୍ଟ ଆଦେଶକୁ ପାଳନ କର ଆଦି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ ।ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା କିହଥିଲେ ଯେ, ସମ୍ବିଧାନର ଧାରା ୨୧କୁ ବିଏମ୍ସି ଖୋଲାଖୋଲି ଉଲଙ୍ଘନ କରି ଶହ ଶହ ଲୋକଙ୍କୁ ବୋରଜଗାର କରିବା ଏକ ମାନବିକ ଅଧିକାରର ଉଲଙ୍ଘନ ଓ ରାଜ୍ୟ ସରକାର ଉଠାଦୋକାନୀ ଷ୍ଟ୍ରିଟ ଭେଣ୍ଡର ଆଇନକୁ ନ ମାନିବା ଏକ ଲଜ୍ଜାଜନକ ବିଷୟ । ଏହି ଅବସରରେ ଏକ ୪ଜଣିଆ ପ୍ରତିନିଧି ମଣ୍ଡଳୀ ବିଏମ୍ସି କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । କମିଶନରଙ୍କ ପ୍ରତିଶ୍ରୁତି ପରେ ବିକ୍ଷୋଭକୁ ବନ୍ଦ କରାଯାଇଥିଲା ।
