ଷଷ୍ଠ ଓ ସପ୍ତମ ପିଲାଙ୍କ ଦକ୍ଷତା ମାପିବ ବେସଲାଇନ ଆସେସମେଣ୍ଟ
ଭୁବନେଶ୍ୱର : ପିଲାଙ୍କ ଭିତରେ ଅଛି ବିପୁଳ ସମ୍ଭାବନା । ମୂଳଦୁଆରୁ ସେମାନଙ୍କ ଉପରେ ଗୁରୁତ୍ବ ଦେଲେ ସେମାନଙ୍କ ଭବିଷ୍ୟତ ଉଜ୍ବଳମୟ ହେବ । ରାଜ୍ୟରେ ଷଷ୍ଠ ଓ ସପ୍ତମ ପିଲାଙ୍କ ଦକ୍ଷତା ଠିକ୍ ଭାବରେ ମାପିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ । ସେମାନଙ୍କ ଜ୍ଞାନ ପରିସୀମା କିଭଳି ବୃଦ୍ଧି ପାଇବ ସେନେଇ ବିଭାଗ ନିୟମାବଳୀ ଜାରି କରିଛି।
ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ପରେ ସେମାନଙ୍କ ଦକ୍ଷତା ମାପିବା ପାଇଁ ବେସଲାଇନ ଆସେସମେଣ୍ଟ ବ୍ୟବସ୍ଥା ହୋଇଛି । ବିଶେଷ କରି ସାହିତ୍ୟ, ଗଣିତ ଓ ଇଂରାଜୀ ପାଇଁ ଏହି ବ୍ୟବସ୍ଥା ହୋଇଛି । ଏହା ଦ୍ବାରା ଶିକ୍ଷା ଆହରଣ ପଦ୍ଧତି ନିର୍ଦ୍ଧାରଣ ସହଜ ହେବ । ଏ ନେଇ କିଛି ନିୟମ ଜାରି ହୋଇଛି । ବେସଲାଇନ ଆସେସମେଣ୍ଟର ଦକ୍ଷତାକୁ ଜାଣିବା ପାଇଁ ମୂଳ୍ୟାଙ୍କନ ଉତ୍ତର ଖାତା ଛାତ୍ର ଓ ଅଭିଭାବକଙ୍କୁ ଦେଖାଯିବା ଆବଶ୍ୟକ । ଫଳରେ ପିଲାମାନେ ସେମାନଙ୍କ ଭୁଲ ଜାଣିପାରିବେ । ସେମାନଙ୍କ ଭୁଲକୁ ତର୍ଜମା କରିପାରିବେ । ପ୍ରତି ପ୍ରଶ୍ନର ଉତ୍ତର ପାଇଁ ଯଥେଷ୍ଟ ଗ୍ରୁପ ଆକ୍ଟିଭିଟି ଅଭ୍ୟାସ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କୁ ଏବଂ ଅଭିଭାବଙ୍କୁ ପ୍ରୋତ୍ସାହିତ କରିବେ। ବେସଲାଇନ ଆସେସମେଣ୍ଟରେ କମ ମାର୍କ ରଖିଥିବା ପିଲାଙ୍କ ସହ ଶିକ୍ଷକ ଅଧିକ ଆଲୋଚନା କରିବେ । ନଭେମ୍ବର ୨୨ ତାରିଖରେ ଓଡ଼ିଆ, ୨୩ ତାରିଖରେ ଇଂରାଜୀ, ୨୪ ତାରିଖରେ ଗଣିତ ଆଦି ଆସେସମେଣ୍ଟ କରାଯିବା ବ୍ୟବସ୍ଥା ରହିଛି । ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଓଡ଼ିଆ, ଇଂରାଜୀ, ଗଣିତ ବିଷୟର ମୌଳିକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ବିଦ୍ୟାଳୟକୁ ଦିଆଯିବ। ଏହା ପିଲାଙ୍କର ପରୀକ୍ଷା ନୁହେଁ ବରଂ ଦକ୍ଷତା ମପାଯିବ। ଦକ୍ଷତା ମପାଯାଇ ସେମାନଙ୍କ ପ୍ରତି ଶିକ୍ଷକ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବେ ।
