କୌଣସି ଗରିବ ଲୋକ ଅନାହାରରେ ନରହିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ – ମୁଖ୍ୟ ଶାସନ ସଚିବ
ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ନେପାଳ ଷ୍ଟଡ଼ି ମିଶନର ପ୍ରଶଂସା
ଭୁବନେଶ୍ୱର : ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଷୟରେ ବାସ୍ତବ ଅନୁଭୁତି ହାସଲ କରିବା ନିମନ୍ତେ ନେପାଳରୁ ଆସିଥିବା ଉଚ୍ଚସ୍ତରୀୟ ଷ୍ଟଡ଼ି ମିଶନ ଟିମ୍ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାନ୍ୱୟନକୁ ଭୁୟସୀ ପ୍ରଶଂସା କରିଛନ୍ତି । ରାଜ୍ୟର ନିଜ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଓଡ଼ିଶାର ଏକ ବଡ ସଫଳତା ବୋଲି ମିଶନ ଟିମ୍ର ସଦସ୍ୟମାନେ ମତ ଦେଇଛନ୍ତି । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଉଚ୍ଚସ୍ତରୀୟ ନେପାଳ ଷ୍ଟଡ଼ି ମିଶନ ଟିମ୍ଙ୍କ ନିମନ୍ତେ ଆଜି ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୌଣସି ଗରିବ ଲୋକ ଅନାହାରରେ ରହିବ ନାହିଁ-ଏହାହିଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ଏବଂ ନିର୍ଦ୍ଦେଶ । ଏହି ଲକ୍ଷ୍ୟର ସଠିକ୍ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତିକରଣ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ଜଳ ସଂପଦ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗୃହ ଓ ନଗର ଉନ୍ନୟନ ଆଦି ବିଭାଗମାନେ ସମନ୍ୱିତଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ସହ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ।
ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ କହିଥିଲେ ଯେ ୨୦୦୩-୨୦୦୪ ମସିହାରୁ ରାଜ୍ୟ କେନ୍ଦ୍ରୀୟ ଖାଦ୍ୟ ସଂଗ୍ରହ ଯୋଜନାରେ ସାମିଲ ହୋଇ ନିଜ କୃଷକମାନଙ୍କଠାରୁ ଖାଦ୍ୟ-ଶସ୍ୟ ସଂଗ୍ରହ ଆରମ୍ଭ କରିଛି । ବର୍ତମାନ ରାଜ୍ୟ ନିଜ କୃଷକମାନଙ୍କ ଠାରୁ ବାର୍ଷିକ ହାରାହାରି ୭୬ ଲକ୍ଷ ନିୟୁତ ଟନ୍ ଧାନ ସଂଗ୍ରହ କରୁଛି ଯେଉଁଥିରୁପ୍ରାୟ ୫୨ ଲକ୍ଷ ନିୟୁତ ଟନ୍ ଚାଉଳ ଉତ୍ପାଦନ କରାଯାଉଛି । ଏହି ସଂଗ୍ରହ ମଧ୍ୟରୁ ରାଜ୍ୟରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ପ୍ରାୟ ୩୦ ଲକ୍ଷ ନିୟୁତ ଟନ୍ ଚାଉଳ ବ୍ୟବହାର ହେଉଛି ଏବଂ ଅବଶିଷ୍ଟ ପ୍ରାୟ ୨୨ ଲକ୍ଷ ନିୟୁତ ଟନ୍ ଚାଉଳ ଦେଶର କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଦିଆଯାଉଛି । କେନ୍ଦ୍ରୀୟ ଭଣ୍ଡାରକୁ ସର୍ବାଧିକ ଚାଉଳ ଦେଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ବର୍ତମାନ ଚତୁର୍ଥ । ରାଜ୍ୟରେ ୯୫.୭୪ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ପ୍ରାୟ ୩.୩୩ କୋଟିରୁ ଅଧିକ ସଦସ୍ୟଙ୍କୁ ପ୍ରତ୍ୟକ୍ଷ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । । ବର୍ତମାନ ସମୁଦାୟ ୧୨,୧୨୪ ସୁଲଭ ଖୁଚୁରା ଦୋକାନ ମାନଙ୍କ ମାଧ୍ୟମରେ ପ୍ରତି ମାସରେ ହିତାଧିକାରୀମାନଙ୍କୁ ପ୍ରାୟ ୧.୮୭ ଲକ୍ଷ ନିୟୁତ ଟନ୍ ଖାଦ୍ୟ ଶସ୍ୟ ଯୋଗାଣ କରାଯାଉଛି । ଟିମ୍ ସଦସ୍ୟମାନେ ଏହି ସବୁ ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସେସବୁର ଯୋଜନା, କାର୍ଯ୍ୟାୟନ ବ୍ୟବସ୍ଥା ଓ ପରିଚାଳନା ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଜ୍ଞାତ ହୋଇଥିଲେ । ନେପାଳ ଜାତୀୟ ଯୋଜନା କମିଶନ ସଦସ୍ୟ ଡ଼ଃ ଦିଲ୍ ବାହାଦୁର ଗୁରୁଙ୍ଗ୍ଙ୍କ ନେତୃତ୍ୱରେ ଆସିଥିବା ଏହି ମିଶନ ଟିମ୍ରେ ନେପାଳ ସରକାରଙ୍କ ଅର୍ଥ, କୃଷି ଓ ପଶୁପାଳନ, ଯୋଜନା ଆଦି ବିଭାଗର ଅତି ଉଚ୍ଚସ୍ତରୀୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏମାନେ ଦୁଇଦିନ ଓଡ଼ିଶାରେ ବିଭିନ୍ନ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର, ଖାଦ୍ୟ ଯୋଗାଣ ଏ.ଟି.ଏମ୍, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ, ଗ୍ରାମ ପଂଚାୟତର କାର୍ଯ୍ୟ ଆଦି ବିଷୟରେ କ୍ଷେତ୍ରସ୍ତରୀୟ ପ୍ରତ୍ୟକ୍ଷ ଅନୁଭୁତି ସଂଗ୍ରହ କରିବେ । ଏହାଛଡା, ଏହି ଟିମ୍ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର ସମ୍ଭାବନା ଅଛି ।
