ନୃତ୍ୟ ଗୀତରେ କମ୍ପିଲା ମୁକ୍ତାକାଶ ରଙ୍ଗମଞ୍ଚ ଲିଙ୍ଗରାଜ କଳା ନିକେତନର ୩୨ ତମ ପ୍ରତିଷ୍ଠା ଦିବସ ପାଳିତ
ପୁରୀ : ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଲିଙ୍ଗରାଜ କଳା ନିକେତନର ୩୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରି କହିଲେ ଶ୍ରୀକ୍ଷେତ୍ର ହେଉଛି କଳା ସଂସ୍କୃତି ପରମ୍ପରା ଓ ଐତିହ୍ୟର ନଗର । ଏହାର ସାଂସ୍କୃତିକ ମର୍ଯ୍ୟାଦାକୁ ରକ୍ଷା କରିବା କଳାକାର ମାନଙ୍କର ଦାୟିତ୍ୱ । ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ଚନ୍ଦ୍ର ନାୟକ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ, ଯୁବନେତା ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ସେବାୟତ ଭଗବାନ ସୁଆର ଓ ଅନ୍ୟମାନେ ଯୋଗଦେଇ ପୁରୀର କଳା ସଂସ୍କୃତି ସଂପର୍କରେ ଆଲୋକପାତ କରିଥିଲେ । ସମାଜସେବୀ ଚକ୍ରଧର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସଂପାଦକ ଜଗନ୍ନାଥ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, କବିତିଳକ ଆର୍ତ୍ତତ୍ରାଣ ଶତପଥୀ ଓ ଗାୟତ୍ରୀ ରଣବୀରଙ୍କୁ ଲିଙ୍ଗରାଜ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ନୃତ୍ୟଗୁରୁ ମନୋଜ କୁମାର ପ୍ରଧାନ ଓ ନନ୍ଦିତା ପ୍ରିୟଦର୍ଶିନୀ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଆକର୍ଷଣୀୟ ନୃତ୍ୟ ପରିବେଷିତ ହୋଇଥିଲା । ସଂଗୀତ ଗୁରୁ ପ୍ରକାଶ ଚନ୍ଦ୍ର ରଥ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସଂସ୍କୃତି ସଂଗଠକ ଶ୍ୟାମପ୍ରକାଶ ସେନାପତି ଓ ଗଣେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
