ଏଣିକି ନବମ ଓ ଦଶମରେ ଦୁଇ ପର୍ଯ୍ୟାୟରେ ପରୀକ୍ଷା
- ନଭେମ୍ବରରେ ଅର୍ଦ୍ଧବାର୍ଷିକ, ଏପ୍ରିଲରେ ବାର୍ଷିକ ପରୀକ୍ଷା
- ୯ମ ପିଲାଙ୍କ ଖାତା ବାହାର ଶିକ୍ଷକ ମୂଲ୍ୟାୟନ କରିବେ
ଭୁବନେଶ୍ୱର : ମହାମାରୀ କରୋନା କାଳରେ ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) । ୨୦୨୧-୨୨ ଶିକ୍ଷା ବର୍ଷକୁ ଦୁଇ ପର୍ଯ୍ୟାୟରେ ଭାଗ କରାଯାଇଛି। ସିବିଏସ୍ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଢାଞ୍ଚାରେ ଓଡ଼ିଶା ବୋର୍ଡ ଦଶମରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ସମୟକୁ ଅଧା ଶିକ୍ଷାବର୍ଷ ଓ ଡିସେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ବାକି ଅଧା ଶିକ୍ଷାବର୍ଷ ଭାବେ ପରିଗଣିତ ହେବ। ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍ ଆସେସମେଣ୍ଟ୍ କରାଯିବ। ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ। ଅର୍ଥାତ୍ ପ୍ରତି ପର୍ଯ୍ୟାୟ ଭିତରେ ଦୁଇଟି ଆଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବାର ବ୍ୟବସ୍ଥା କରାଯାଉଛି। ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ମୂଲ୍ୟାୟନ ହେବ। ଦଶମ ଶ୍ରେଣୀ ପାଇଁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ପ୍ରଥମ ଆଭ୍ୟନ୍ତରୀଣ ମୂଲ୍ୟାୟନ, ନଭେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ତୃତୀୟ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଚତୁର୍ଥ ଅାଭ୍ୟନ୍ତରୀଣ ମୂଲ୍ୟାୟନ କରାଯିବ। ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ଖୁବଶୀଘ୍ର ବୋର୍ଡ ବିଜ୍ଞପ୍ତି ଜାରି କରିବ।
ଅର୍ଦ୍ଧବାର୍ଷିକ ପରୀକ୍ଷା ନଭେମ୍ବର ଶେଷ ସପ୍ତାହରେ ହେବ। ପ୍ରତି ବିଷୟର ୫୦% ପାଠ୍ୟକ୍ରମରୁ ୫୦ ନମ୍ବରର ମଲଟିପୁଲ୍ ଚଏସ୍ ପ୍ରଶ୍ନକୁ ନେଇ ଓଏମଆର୍ ସିଟ୍ରେ ପରୀକ୍ଷା କରାଯିବ। ପରୀକ୍ଷାର ଅବଧି ଏକ ଘଣ୍ଟା ରହିବ ଏବଂ କମ୍ପ୍ୟୁଟରରେ ଖାତା ମୂଲ୍ୟାୟନ ହେବ। ବାର୍ଷିକ ପରୀକ୍ଷା ଏପ୍ରିଲ ଶେଷ ସପ୍ତାହରେ ହେବ। ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ନେଇ ପ୍ରତ୍ୟେକ ବିଷୟରେ ୫୦ ନମ୍ବର ମଲଟିପୁଲ୍ ଚଏସ ଓ ୩୦ ନମ୍ବର ସବଜେକ୍ଟିଭ୍ ପ୍ରଶ୍ନକୁ ନେଇ ପରୀକ୍ଷା ହେବ। ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ନହୋଇ ପାରିଲେ ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେବେ। କେଉଁ ସ୍କୁଲର ଶିକ୍ଷକ କେଉଁ ସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖିବେ ତାହା ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଧାରଣ କରିବେ। ବୋର୍ଡ ପୋର୍ଟାଲରେ ଏହି ନମ୍ବର ଅପଲୋଡ୍ କରାଯିବ। ଯଦି ଛାତ୍ରଛାତ୍ରୀ ଦୁଇଟି ଯାକ ପରୀକ୍ଷା ଦେଇପାରିଲେ ତେବେ ଇଣ୍ଟରନାଲ୍ ଆସେସମେଣ୍ଟର ୨୦%, ଅର୍ଦ୍ଧବାର୍ଷିକ ପରୀକ୍ଷାର ୩୦% ଓ ବାର୍ଷିକ ପରୀକ୍ଷା ନମ୍ବରର ୫୦% ୱେଟେଜକୁ ନେଇ ଚୂଡ଼ାନ୍ତ ମାର୍କସିଟ୍ ପ୍ରସ୍ତୁତ କରାଯିବ। ଯଦି ଅର୍ଦ୍ଧବାର୍ଷିକ ପରୀକ୍ଷା ସ୍କୁଲରେ ନ ହୋଇ କେବଳ ବାର୍ଷିକ ପରୀକ୍ଷା ହୁଏ ତେବେ ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ନମ୍ବରର ୨୦%, ଘରେ ରହି ଦେଇଥିବା ଅର୍ଦ୍ଧବାର୍ଷିକ ପରୀକ୍ଷାର ୨୦% ଓ ବାର୍ଷିକ ପରୀକ୍ଷା ନମ୍ବରର ୬୦% ହିସାବକୁ ନେଇ ଚୂଡାନ୍ତ ମାର୍କସିଟ୍ ପ୍ରସ୍ତୁତ କରାଯିବ। କୌଣସି ପରୀକ୍ଷାର ନମ୍ବର ବ୍ୟବଧାନ ୩୦%ରୁ ଅଧିକ ରହିବ ନାହିଁ। ଯଦି ଅର୍ଦ୍ଧବାର୍ଷିକ ପରୀକ୍ଷା ହେଲା ଓ ବାର୍ଷିକ ପରୀକ୍ଷା ହୋଇ ପାରିଲା ନାହିଁ ତେବେ ସେଭଳି ସ୍ଥିତିରେ ଇଣ୍ଟରନାଲ ଆସେସମେଣ୍ଟର ୨୦%, ଅର୍ଦ୍ଧବାର୍ଷିକ ପରୀକ୍ଷାର ୫୦% ଓ ଘରେ ରହି ଦେଇଥିବା ବାର୍ଷିକ ପରୀକ୍ଷା ନମ୍ବରର ୨୦% ବିଚାରକୁ ନେଇ ଚୂଡାନ୍ତ ମାର୍କସିଟ୍ ପ୍ରସ୍ତୁତ କରାଯିବ। ଯଦି ଦୁଇଟିଯାକ ପରୀକ୍ଷା ସ୍କୁଲରେ ହୋଇ ନପାରେ ତେବେ ଇଣ୍ଟରନାଲ୍ ଆସେସମେଣ୍ଟର ୨୦%, ଅର୍ଦ୍ଧବାର୍ଷିକ ପରୀକ୍ଷା ନମ୍ବରର ୩୦% ଓ ବାର୍ଷିକ ପରୀକ୍ଷା ନମ୍ବରର ୫୦% ହିସାବକୁ ନେଇ ଚୂଡାନ୍ତ ମାର୍କସିଟ୍ ପ୍ରସ୍ତୁତ କରାଯିବ। ସେହିପରି ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫୦ % ପାଠ୍ୟକ୍ରମକୁ ନେଇ ଅର୍ଦ୍ଧବାର୍ଷିକ ପରୀକ୍ଷା କରାଯିବ। ୨୦ ନମ୍ବର ମଲଟିପୁଲ୍ ଚଏସ୍ ଓ ୨୦ ନମ୍ବର ସବଜେକ୍ସିଭ୍ ମାର୍କର ପରୀକ୍ଷା ହେବ। ବୋର୍ଡ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ ଏବଂ ନିଜ ସ୍କୁଲରେ ପରୀକ୍ଷା ହେବ। ତେବେ ଅନ୍ୟ ସ୍କୁଲର ଶିକ୍ଷକ ମୂଲ୍ୟାୟନ କରିବେ। ନଭେମ୍ବର ତୃତୀୟ ସପ୍ତାହରେ ଏହି ପରୀକ୍ଷା ହେବ। ବାର୍ଷିକ ପରୀକ୍ଷା ଏପ୍ରିଲ ଦ୍ବିତୀୟ ସପ୍ତାହରେ ହେବ। ସଂପୂର୍ଣ୍ଣ ପାଠ୍ୟକ୍ରମରୁ ପ୍ରଶ୍ନ ଆସିବ। ବାର୍ଷିକ ପରୀକ୍ଷା ଶେଷରେ ସ୍କୁଲ ପକ୍ଷରୁ ଫଳ ପ୍ରକାଶ କରାଯିବ।
ସୂଚନା ଯେ, କରୋନା ସ୍ଥତି ପାଇଁ ଗତବର୍ଷ ସ୍କୁଲ ମାନଙ୍କରେ ପରୀକ୍ଷ ବାତିଲ ହୋଇଯାଇଥିଲା । ଏହାପରେ ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଗଲା । ତେବେ ଆଗକୁ ଯେପରି ଏଭଳି ଅସୁବିଧା ନଉପୁଜେ ସେଥିପାଇଁ ନୁଆ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି । ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଯଦି ଦଶମ ଶ୍ରେଣୀର ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହୁଏ, ତାହେଲେ ଆଭ୍ୟନ୍ତରୀଣ ମୂଲ୍ୟାୟନକୁ ୨୦ ପ୍ରତିଶତ ଗୁରୁତ୍ୱ, ପ୍ରଥମ ପର୍ଯ୍ୟାୟ ଫଳାଫଳକୁ ୩୦ ପ୍ରତିଶତ ଗୁରୁତ୍ୱ ଓ ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳକୁ ୫୦ ପ୍ରତିଶତ ଗୁରୁତ୍ୱ ମିଳିବ। ଆଉ ଯଦି ଦୁଇଟିଯାକ ପରୀକ୍ଷା ହୋଇ ନପାରେ ତାହେଲେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୨୦ ପ୍ରତିଶତ, ପ୍ରଥମ ପର୍ଯ୍ୟାୟ ୩୦ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟ ୫୦ ପ୍ରତିଶତ ଗୁରୁତ୍ୱ ବହନ କରିବ । ଏହା ସହ ଜଣେ ଛାତ୍ରର ପୂର୍ବ ୫ ବର୍ଷର ପରୀକ୍ଷା ଫଳକୁ ମଧ୍ୟ ବିଚାରକୁ ନିଆଯିବ ।
