ସବ୍-ସୋନିକ୍ କ୍ରୁଜ୍ ମିସାଇଲ ‘ନିର୍ଭୟ’ର ପରୀକ୍ଷଣ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସବ୍-ସୋନିକ୍ କ୍ରୁଜ୍ ମିସାଇଲ ନିର୍ଭୟର ପରୀକ୍ଷା କରାଯାଇଛି । ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଗୁରୁବାର ମଧ୍ୟାହ୍ନ ୨ଟା ୨୫ ମିନିଟ୍ ସମୟରେ ଏହି କ୍ଷେପଣାସ୍ତ୍ରକୁ ଡ଼େଭଲପ୍ମେଣ୍ଟ ପରୀକ୍ଷା କରାଯାଇଛି । ଏହି ମିସାଇଲକୁ ଆଜି ୭୫୦ରୁ ୧ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତାରେ ପରୀକ୍ଷା କରାଯାଇଛି । ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା ରାଡ଼ାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି ।
ସୂଚନା ଯେ, ପୂର୍ବରୁ ଏହି କ୍ଷେପଣାସ୍ତ୍ରରେ ରକେଟ୍ ଇଞ୍ଜିନ୍ ବ୍ୟବହାର କରାଯାଉଥିବାବେଳେ ଆଜିର ପରୀକ୍ଷାରେ ଏଥିରେ ଇଣ୍ଡିଜିନିୟସ୍ ସର୍ଟ ଟୋର୍ବୋଫ୍ୟାନ୍ ବା ମାନିକ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହା ଫଳରେ ମିସାଇଲର ଓଜନ ହାଲୁକା ହେବା ସହିତ ଏହାର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି ହୋଇପାରିବ । ଡିଆରଡିଓର ଏରୋନୋଟିକାଲ ଡେଭଲପମେଣ୍ଟାଲ ଏଷ୍ଟାବ୍ଲିସ୍ମେଣ୍ଟ ଦ୍ବାରା ପ୍ରସ୍ତୁତ ନିର୍ଭୟ କ୍ଷେପଣାସ୍ତ୍ରର ଓଜନ ୧୫୦୦କିଲୋଗ୍ରାମ ଥିବାବେଳେ ଏହାର ଲମ୍ବ ୬ମିଟର ଓ ମୋଟେଇ ୦.୫ ମିଟର । ଏଥିରେ ୨ଶହରୁ ୩ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଏହି ମିସାଇଲର ଡେଣାର ଲମ୍ବ ୨.୭ ମିଟର। ଏହା ଭୂପୃଷ୍ଠର ୫୦ମିଟରରୁ ୪କିଲୋମିଟର ଉଚ୍ଚତାରେ ଏୟାରକ୍ରାଫ୍ଟ ଭଳି ଶତ୍ରୁ ପକ୍ଷର ଶିବିର ଚାରିପାଖରେ ଉଡ଼ାଣ କରି କଣ୍ଟ୍ରୋଲ ରୁମ୍ର ଫଟୋ ଓ ଭିଡିଓ ପଠାଇ ପାରିବାର କ୍ଷମତା ରଖିଛି ।
