କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବାରୁ ଆତଙ୍କବାଦୀ ଦେଇଥିଲେ ହତ୍ୟା ଧମକ: ଆଜାଦ
ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ହାତ ଛାଡି ନୂତନ ଦଳ ଗଠନ ପ୍ରକ୍ରିୟା ଜାରି ରଖିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ତାଙ୍କୁ ଆତଙ୍କବାଦୀଙ୍କ ଠାରୁ ହତ୍ୟା ଧମକ ମିଳିଥିବା ସେ ପ୍ରକାଶ କରିଛନ୍ତି । ଆଜି (ଗରୁବାର) ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ସେ ତାଙ୍କୁ ଆତଙ୍କବାଦୀ ଦ୍ବାରା ହତ୍ୟା ଧମକ ମିଳିଥିବା କଥା ପ୍ରକାଶ କରିଛନ୍ତି ଆଜାଦ ।ଆଜାଦ କହିଛନ୍ତି, ସେ ତଙ୍କର ଜଣେ ସହଯୋଗୀଙ୍କ ଠାରୁ ଏହି ସୂଚନା ପାଇଥିଲେ ଯେ, ତାଙ୍କୁ ହତ୍ୟା କରିବା ପାଇଁ ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ସେ କାଶ୍ମୀର ଫେରିବା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କେନ୍ଦ୍ର ଗୃହମନ୍ତ୍ରୀ ଅମତି ଶାହଙ୍କୁ ସାକ୍ଷାତ କରିଥିବାରୁ ତାଙ୍କୁ ହତ୍ୟା କରିବାକୁ ଧମକ ମିଳିଥିବା ତାଙ୍କୁ ତାଙ୍କ ସହଯୋଗୀଜଣଙ୍କ ଅବଗତ କରିଥିଲେ । ଆହୁରି ଆଜାଦ କହିଛନ୍ତି, ସେ ତାଙ୍କ ରାଜନୈତିକ କ୍ୟାରିୟରରେ ଅନେକ ଥର ହତ୍ୟା ଧମକ ପାଇଛନ୍ତି, କିନ୍ତୁ କେବେ ହେଲେ ବିବ୍ରତ କିମ୍ବା ଭୟଭୀତ ହୋଇନାହାନ୍ତି । ସେ ରାଜନୀତିରେ କିଣିବା, ବିକିବା ନୀତି ଜାଣନ୍ତି ନାହିଁ ବୋଲି ମଧ୍ୟ ଜନସଭାରେ କହୁଥିବା ଦେଖିବାକୁ ମିଳିଥିଲା ।
ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇ ଅଗଷ୍ଟ ୨୬ରେ ଦଳର ସାଧାରଣ ସଦସ୍ୟତା ସମେତ ସମସ୍ତ ସାଙ୍ଗଠନିକ ଦାଇତ୍ବରୁ ଇସ୍ତଫା ଦେଇଥିଲେ । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇ କଂଗ୍ରେସ ନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ । ରାହୁଲ ଜଣେ ଅପରିପକ୍ବ ବ୍ୟକ୍ତତ୍ବ ଓ ନିର୍ଣ୍ଣୟ ନେବାରେ ଅସମର୍ଥ ବୋଲି ଆଜାଦ କହିଥିଲେ । ପରେ ମଧ୍ୟ ସେ ଏକାଧିକ ସମୟରେ ରାହୁଲ ଓ କଂଗ୍ରେସକୁ ସମାଲୋଚନା କରିଥିଲେ ।
ଚଳିତ ମାସ ୪ ତାରିଖରେ ସେ ଜମ୍ମୁରେ ଆୟୋଜିତ ଏକ ସାଧାରଣ ସଭାକୁ ପ୍ରଥମ ଥର ପାଇଁ ସମ୍ବୋଧିତ କରିଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ଜାତୀୟ ଦଳ ଗଠନ କରିବାକୁ ଘୋଷଣା କରିଥିବା ଆଜାଦଙ୍କ ଏହା ଥିଲା ପ୍ରଥମ ରାଜନୈତିକ ସମ୍ବୋଧନ । ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ନିଜ ସମ୍ବୋଧନରେ ସେ କଂଗ୍ରେସ ଉପରେ ବର୍ଷିଥିଲେ । ବର୍ତ୍ତମାନ ଟ୍ବିଟ କରୁଥିବା ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି କିନ୍ତୁ ଦଳ ତାଙ୍କ ରକ୍ତ ଓ ଝାଳରେ ଛିଡା ହୋଇଥିବା କଥା ସେମାନେ ଭୁଲି ଯାଇଥିବା ଆଜାଦ କହିଥଲେ । ତେବେ ଆଜି ସମ୍ବୋଧନରେ ସେ ନିଜେ ହତ୍ୟା ଧମକ ପାଇଥିବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
