ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ କଟ୍ଟରପନ୍ଥୀଙ୍କ ଆକ୍ରମଣ
- ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା, ଘରେ ନିଆଁ ଲଗାଇ ମାଡ଼ମାରିବା ସହିତ ଲୁଟପାଟ, ୧୦ ଗିରଫ
ଢାକା : ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ନେଇ ବିବାଦ ଥମି ନଥିବା ବେଳେ ଏବେ ପୁଣି ବାଂଲାଦେଶରେ ଏହି ଘଟଣା ଦେଖିବାକୁ ମିଳିଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ କଟ୍ଟରପନ୍ଥୀ ମାନଙ୍କ ଆକ୍ରମଣ ହୋଇଛି । ଆକ୍ରମଣକାରୀମାନେ ଅନେକ ଘରେ ନିଆଁ ଲଗାଇ ମାଡ଼ମାରିବା ସହିତ ଲୁଟପାଟ କରିଛନ୍ତି । ଏହା ବ୍ୟତୀତ ଅନେକ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ବାଂଲାଦେଶର ଖୁଲନା ଜିଲ୍ଲାର ରୁପଶ ସବଡିଭିଜନ ଅଂଳଚରେ ଥିବା ଶିୟାଲୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଆକ୍ରମଣ ଘଟଣାରେ ମୋଟ ୩୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
‘ଢାକା ଟ୍ରିବ୍ୟୁନ’ର ରିପୋର୍ଟ ଅନୁସାରେ ଅଗଷ୍ଟ ୭ ତାରିଖ ବାଂଲାଦେଶରେ କିଛି କଟ୍ଟରପନ୍ଥୀ ସଂଖ୍ୟାଲଘୁ ସଂପ୍ରଦାୟର ଅନେକ ଘର, ଦୋକାନ ଉପରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ କିଛି ମନ୍ଦିରରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ପ୍ରାଥମିକ ତଦନ୍ତରୁ ୪ଟି ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ହୋଇଛି । କୁହାଯାଉଛି ଯେ, ଆକ୍ରମଣ ଘଟଣାରେ ପଡୋଶୀ ଗାଁର ଲୋକେ ମଧ୍ୟ ସାମିଲ ଥିଲେ । ଆକ୍ରମଣକାରୀମାନେ ମନ୍ଦିରରେ ଥିବା ମୂର୍ତ୍ତି ଗୁଡ଼ିକୁ ଭାଙ୍ଗି ଦେଇଥିଲେ । ସେହିପରି ପୋଲିସର କହିବା ଅନୁସାରେ ଘଟଣା ସହିତ ଜଡ଼ିତ ୧୦ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କର କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକଙ୍କର ସୁରକ୍ଷା ପାଇଁ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି । ପୋଲିସ କହିଛି ଯେ, ୨ଟି ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ପରେ ଆକ୍ରମଣ ଘଟଣା ଘଟିଥିଲା । ଉପଦ୍ରବକାରୀମାନେ ସର୍ବପ୍ରଥମେ ଶିଆଲି ମହାସମାନ ମନ୍ଦିରକୁ ଟାର୍ଗେଟ କରିଥିଲେ ।
