ରୁଷର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ : ୧୧ ସୈନିକ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ
ମସ୍କୋ: ରୁଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍ ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆକ୍ରମଣରେ ୧୧ ରୁଷୀୟ ସେନାଙ୍କ ମୃତ୍ୟୁ ହୋଇଛି । ରୁଷ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆକ୍ରମଣକାରୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି ।
ସୂଚନା ମୁତାବକ, ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ଏମାନେ ରୁଷ ସେନାରେ ଭଲିଂଟିଅର ଭାବେ କାମ କରୁଥିଲେ । ବନ୍ଧୁକ ଚାଳନ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଦ୍ୱୟ ସ୍ୱେଚ୍ଛାକୃତ ଭାବେ ଟ୍ରେନିଂ ସେଂଟରକୁ ଆସିଥିଲେ । ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଂଟର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଏକ ବନ୍ଧୁକରେ ଟ୍ରେନିଂ ନେଉଥିବା ରୁଷ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ ।
