ପୁଞ୍ଚ୍ରେ ଆତଙ୍କବାଦୀ-ଯବାନ ଗୁଳି ବିନିମୟ : ଜଣେ ଯବାନ ଓ ୨ ପୋଲିସ ଆହତ
ପୁଞ୍ଚ୍ : ଗତ କିଛିଦିନ ହେବ ଜମ୍ମୁ ଓ କଶ୍ମୀରରେ ଆତଙ୍କୀ ହମଲା ବଢି ଯାଇଛି । ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଗତ ୧୪ ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ଅଭିଯାନ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସେନାର ଜଣେ ଯବାନ ଏବଂ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଶୋପିଆଁର ଜୈନ୍ପଡ଼ା ଅଞ୍ଚଳର ବାବାପଡ଼ାରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିଚୋଟରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି।
ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ଜାରି ରହିଥିବା ଏକ ମିଳିତ ତଲାସ ଅଭିଯାନ ସମୟରେ ଆତଙ୍କବାଦୀଙ୍କ ଆତ୍ମଗୋପନସ୍ଥଳୀ ଚିହ୍ନଟ କରିବା ଲାଗି ଅଟକ ଥିବା ଜିଆ ମୁସ୍ତଫା ନାମକ ଲଶ୍କର-ଏ-ତୈବାର ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭଟ ଦୁରିଆଁକୁ ନିଆଯାଇଥିଲା। ଉପରୋକ୍ତ ତଲାସ ଅଭିଯାନରେ ସେନାର ୩ଜଣ ଯବାନ ଏବଂ ଜଣେ ‘ଜୁନିୟର୍ କମିସନ୍ଡ୍ ଅଫିସର୍’ ସହିଦ ହୋଇଥିଲେ। ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ତଲାସ ସମୟରେ ତଲାସକାରୀ ଦଳ ଆତଙ୍କବାଦୀମାନଙ୍କ ଆତ୍ମଗୋପନସ୍ଥଳ ନିକଟରେ ପହଞ୍ଚି ଯିବାରୁ ଆତଙ୍କବାଦୀମାନେ ପୁଲିସ ଓ ସେନା କର୍ମଚାରୀଙ୍କ ମିଳିତ ଦଳ ଉପରକୁ ପୁନଶ୍ଚ ଗୁଳି ଚଳାଇଥିଲେ। ଫଳତଃ, ଜଣେ ସେନା ଯବାନ ଓ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲା। ଗୁଳିକାଣ୍ଡରେ ଜିଆ ମୁସ୍ତାଫା ମଧ୍ୟ ଆହତ ହୋଇଛନ୍ତି। ଭୀଷଣ ଗୁଳିବର୍ଷଣ ଯୋଗୁଁ ତାଙ୍କୁ ମଧ୍ୟ ଘଟଣାସ୍ଥଳରୁ ସ୍ଥାନାନ୍ତରଣ କରାଯାଉନାହିଁ। ଆହତ ପ୍ରତିରକ୍ଷା କର୍ମଚାରୀମାନେ ନିକଟବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରେ ଏବେ ମଧ୍ୟ ଅଭିଯାନ ଜାରି ରହିଛି।
