ସୁରକ୍ଷାବାହିନୀ-ପୋଲିସ ମଧ୍ୟରେ ସମନ୍ବୟ ରହିଲେ ଆତଙ୍କବାଦୀଙ୍କୁ ମୂଳୋତ୍ପାଟନ କରାଯାଇପାରିବ
ଜାମ୍ମୁ : ଦୁଇ ଦିନିଆ ଜମ୍ମୁ କାଶ୍ମୀରର ଗସ୍ତ ଅବସରରେ ରାଜଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବନି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ ନିରାପଦ ସ୍ଥାନ ଓ ଆର୍ଥିକ ସହାୟତା ଯୋଗାଉଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ସୁରକ୍ଷାବାହିନୀ ଓ ପୋଲିସ ମଧ୍ୟରେ ସମନ୍ବୟ ରହିଲେ ଆତଙ୍କବାଦୀଙ୍କୁ ମୂଳୋତ୍ପାଟନ କରାଯାଇପାରିବ।
ସେହିପରି ଜମ୍ମୁ କାଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ସ୍ତରରେ ସମୃଦ୍ଧ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ୨୦୧୮ରେ ଏଠାରେ ୪୧୭ଟି ଆତଙ୍କବାଦୀ କାର୍ଯ୍ୟକଳାପ ଘଟିଥିବାବେଳେ ୨୦୨୧ ବେଳକୁ ଏହା ୨୨୮କୁ ହ୍ରାସ ପାଇଛି। ସେହି ହିସାବରେ ସୁରକ୍ଷା କର୍ମଚାରୀଙ୍କ ସଂଖ୍ୟାକୁ ବି ହ୍ରାସ କରାଯାଇଛି। ୨୦୧୮ରେ ଏଠାରେ ୯୧ ସୁରକ୍ଷା କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ୨୦୨୧ରେ ଏହା ୪୨କୁ ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜାମ୍ମୁ କାଶ୍ମୀର ଉପରେ ଯେଉଁ ଦୁରଦୃଷ୍ଟି ରହିଛି ତାହାକୁ ସକାରାତ୍ମକ ରୂପ ଦେବାକୁ ଆମକୁ ଚେଷ୍ଟା କରିବାକୁ ପଡିବ । ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ ତଥା ଜେଲରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସେ ଗୁରୁତ୍ବ ଦେଇଥିଲେ। ତେବେ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଜାମ୍ମୁ କାଶ୍ମୀରରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ମଜବୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜାମ୍ମୁ କାଶ୍ମୀରର ଗଭର୍ଣ୍ଣର ଲେଫ୍ଟନାଣ୍ଟ ମନୋଜ ସିହ୍ନାଙ୍କ ସମେତ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
