ପଞ୍ଜାବ କଂଗ୍ରେସରେ ଟଣାଓଟରା ଜାରି : ଚନ୍ନି ଓ ସିଦ୍ଧୁଙ୍କୁ ହାଇ କମାଣ୍ଡଙ୍କ ଡାକରା
ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ଟଣାଓଟରା ଜାରି ରହିଛି । ଅଚାନକ ବଡ଼ ଘଟଣାକ୍ରମ ସାମ୍ନାକୁ ଆସିଛି। କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି ଓ ପ୍ରଦେଶ କଂଗ୍ରେସ ସଭାପତି ନଭଜ୍ୟୋତ ସିଂ ସିଦ୍ଧୁଙ୍କୁ ଦିଲ୍ଲୀ ତଲବ କରିଛନ୍ତି। ଏଥରୁ ନିର୍ବାଚନ ମୁହାଁ ରାଜ୍ୟ କଂଗ୍ରେସରେ ନେତୃତ୍ୱ ନେଇ କୌଣସି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି।
କୁହାଯାଉଛି ଦିଲ୍ଲୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସଭାପତିଙ୍କ ଉପସ୍ଥିତିରେ ସୁନୀଲ ଝାକଡଙ୍କ ସହ ବୈଠକ ହେବ। କିଛି ଦିନ ପୂର୍ବେ ପଞ୍ଜାବ କଂଗ୍ରେସ ସଭାପତି ସିଦ୍ଧୁ ଗଣମାଧ୍ୟମ ସହ ଆଲୋଚନା କାଳରେ ଝାକଡଙ୍କୁ ଝାଡିଥିଲେ। ସୁନୀଲ ଝାକଡ ମଧ୍ୟ ଛାଡିବାର ଲୋକ ନୁହନ୍ତି, ସେ ଟ୍ୱିଟ୍ କରି ସିଦ୍ଧୁଙ୍କୁ ଜବାବ ଦେଇଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କ ସହ ମଧ୍ୟ ସିଦ୍ଧୁଙ୍କର ପଟୁ ନାହିଁ। ଏଣୁ ସିଦ୍ଧୁ ବାରମ୍ବାର ଚନ୍ନି ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
